ଜହ୍ନ
ଜହ୍ନ
ଶୀତଳ କିରଣ ସ୍ପର୍ଶରେ
ତୁମେ ଆସ ସବୁ ପୂର୍ଣ୍ଣିମାରେ,
ନୀଳ ଗଗନ ବକ୍ଷରେ
ଶୋଭା ପାଅ ତାରକା ମେଳରେ ।
ସୁନ୍ଦର ସେ ଦୃଶ୍ୟ ଦେଖୁ ଦେଖୁ
ସିହରଣ ଖେଳିଯାଏ ମନେ ,
ହଯିଯିବାକୁ ଇଚ୍ଛା ହୁଏ
ତୁମର ସେ ରୂପ ଯଉବନେ ।
ଲାଗେ ବେଳେ ବେଳେ ତୁମେ
ସାଙ୍ଗମେଳେ ଖେଳ ଲୁଚକାଳି,
ଅମାବାସ୍ୟାରେ ହଜି ଯାଇ
ପୂର୍ଣ୍ଣିମାରେ ଯାଅ ତୁମେ ମିଳି ।
ତୁମର ସେ ରୂପ ଅଗଣାରେ
ତୋଳେ ମୁଁ ଯେ କଳ୍ପନାର ଘର,
ସ୍ଥାୟୀ ଭଳି ଲାଗେ ସିଏ ମାତ୍ର
କ୍ଷଣିକରେ ହୋଇଯାଏ ଦୂର ।
ପ୍ରେମୀ ହୃଦୟର ପ୍ରେମିକା
ସାଜିଥାଅ ତୁମେ ପରା ଯେବେ,
ତୁମ ପାଖେ ପ୍ରେମର ସମାପ୍ତି
ଭାବିବାକୁ ଇଚ୍ଛା ହୁଏ ସେବେ ।
ବିରହି ହୃଦୟର କୋହ
ତୁମେ ଶୁଣ ନିସ୍ତବ୍ଧ ରାତିରେ,
ଦୁଃଖତାର କହିବ ସେ ସିଏ
ତା ପ୍ରେମକୁ ଦେଖି ତୁମଠାରେ ।
ପ୍ରସ୍ଫୁଟିତ ହେବା ପାଇଁ କଇଁ
ପ୍ରତିକ୍ଷା ଯେ କରେ ରାତି ରାତି,
ତୁମରି ସ୍ପର୍ଶରେ ହସି ଉଠେ
ଗାଇ ଗାଇ ସୁମଧୁର ଗୀତି ।
ତୁମ ସେ ଶୀତଳ କିରଣ
ଭୁଲାଏ ଝାଞ୍ଜି ଖରା ଦିନ,
ସତେ ଅବା ଆକର୍ଷଣ କରେ
ବିନା ଶବ୍ଦରେ ତୁମ ଆହ୍ଵାନ ।
ଆଗୋ ଜହ୍ନ ତୁମେ କାହା ପାଇଁ
ସାଜିଥାଅ ରୂପେଲି ସବାରି,
କଳା ବାଦଲର ଛାତି ଚିରି
ଆସୁଥିବ ଏମିତି ବାହାରି ।

