STORYMIRROR

Snigdha Mishra

Romance

4  

Snigdha Mishra

Romance

ମେଘମାଳ

ମେଘମାଳ

1 min
303

ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ

ଭାସି ଆସିଥିବା ମେଘମାଳ

କେବେ ଜର୍ଜର କେବେ ମୁଖର

କେବେ କୋଳାହଳ ଠାରୁ କେତେ ଦୂର

କେବେ ପ୍ରତୀକ୍ଷିତ କେବେ ଆଶାତୀତ

କେବେ ଗୋପନରେ ବର୍ଷ ଅବାରିତ

କେବେ ନୀରବରେ କେବେ ନିରୋଳାରେ

କେବେ ଉଦାସ ଆଖିର ଉହାଡ଼ରେ

ଭିଜାଅ ଅନ୍ତରୁ ଅବୟବ ଯାଏଁ

ଯେବେ ପ୍ରୀତିର ପୀୟୂଷ ତୁମେ ଢାଳ

ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ

ଭାସି ଆସିଥିବା ମେଘମାଳ ।


ଅଳ୍ପ ଆଳାପରୁ ଅସରନ୍ତି କଥା

ଅଗୋଚରେ ତୁମଠି ମୁଁ ସମର୍ପିତା

ଓଦା ମାଟିର ବାସ୍ନାରେ ହଜେ ମୁଁ ଯେ

ତୁମ ସାନ୍ନିଧ୍ୟେ ପୁଣି ନିଜକୁ ଖୋଜେ

ଛାଇ ଖରା ସାଥେ ଖେଳେ ଲୁଚକାଳି

ସେବେ ପାଶେ ମୋର ତୁମେ ଆସ ଚାଲି

ମନ ମରୁତାପେ ହେଲେ ଅବସନ୍ନ 

ତୁମେ ଶୀତଳତାର ପ୍ରଲେପ ବୋଳ

ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ

ଭାସି ଆସିଥିବା ମେଘମାଳ ।


ଯେବେ କହି ଦିଏ ତୁମେ କେତେ ଭଲ

ଦୁଷ୍ଟାମିରେ କର ମତେ କଲବଲ

ବୁଣି ତନୁ ପରେ ନିଶିଗନ୍ଧା ଫୁଲ

ସନ୍ତର୍ପଣେ ଆସି ମୋ କବରୀ ଖୋଲ

ଯେବେ ଫେରିବାକୁ କରେ ଅନୁନୟ

ମିଛ ଅଭିମାନ କର ଅଭିନୟ

ଯେବେ ଓହ୍ଲାଏ ଗୋଧୂଳିର ବେଳ

ଗାଢ଼ ଆଲିଙ୍ଗନେ ମତେ ଧରି ତୋଳ

ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ

ଭାସି ଆସିଥିବା ମେଘମାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance