ମେଘମାଳ
ମେଘମାଳ
ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ
ଭାସି ଆସିଥିବା ମେଘମାଳ
କେବେ ଜର୍ଜର କେବେ ମୁଖର
କେବେ କୋଳାହଳ ଠାରୁ କେତେ ଦୂର
କେବେ ପ୍ରତୀକ୍ଷିତ କେବେ ଆଶାତୀତ
କେବେ ଗୋପନରେ ବର୍ଷ ଅବାରିତ
କେବେ ନୀରବରେ କେବେ ନିରୋଳାରେ
କେବେ ଉଦାସ ଆଖିର ଉହାଡ଼ରେ
ଭିଜାଅ ଅନ୍ତରୁ ଅବୟବ ଯାଏଁ
ଯେବେ ପ୍ରୀତିର ପୀୟୂଷ ତୁମେ ଢାଳ
ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ
ଭାସି ଆସିଥିବା ମେଘମାଳ ।
ଅଳ୍ପ ଆଳାପରୁ ଅସରନ୍ତି କଥା
ଅଗୋଚରେ ତୁମଠି ମୁଁ ସମର୍ପିତା
ଓଦା ମାଟିର ବାସ୍ନାରେ ହଜେ ମୁଁ ଯେ
ତୁମ ସାନ୍ନିଧ୍ୟେ ପୁଣି ନିଜକୁ ଖୋଜେ
ଛାଇ ଖରା ସାଥେ ଖେଳେ ଲୁଚକାଳି
ସେବେ ପାଶେ ମୋର ତୁମେ ଆସ ଚାଲି
ମନ ମରୁତାପେ ହେଲେ ଅବସନ୍ନ
ତୁମେ ଶୀତଳତାର ପ୍ରଲେପ ବୋଳ
ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ
ଭାସି ଆସିଥିବା ମେଘମାଳ ।
ଯେବେ କହି ଦିଏ ତୁମେ କେତେ ଭଲ
ଦୁଷ୍ଟାମିରେ କର ମତେ କଲବଲ
ବୁଣି ତନୁ ପରେ ନିଶିଗନ୍ଧା ଫୁଲ
ସନ୍ତର୍ପଣେ ଆସି ମୋ କବରୀ ଖୋଲ
ଯେବେ ଫେରିବାକୁ କରେ ଅନୁନୟ
ମିଛ ଅଭିମାନ କର ଅଭିନୟ
ଯେବେ ଓହ୍ଲାଏ ଗୋଧୂଳିର ବେଳ
ଗାଢ଼ ଆଲିଙ୍ଗନେ ମତେ ଧରି ତୋଳ
ତୁମେ ମୋ ଆକ୍ତାମାକ୍ତା ଅପରାହ୍ନରେ
ଭାସି ଆସିଥିବା ମେଘମାଳ ।

