STORYMIRROR

Snigdha Mishra

Others

3  

Snigdha Mishra

Others

ମୁଁ ମାନବିକତା କହୁଛି

ମୁଁ ମାନବିକତା କହୁଛି

2 mins
212

ମୁଁ ମାନବିକତା କହୁଛି 

ମନ ମାନସ ମାନସପଟରୁ ଯଦିଓ ମୁଁ ଜନ୍ମ ନେଇଛି

ଆଜି କିନ୍ତୁ ମୁଁ ମନସ୍ତତ୍ତ୍ୱର ଶାସ୍ତ୍ରରେ ସୀମିତ ହୋଇଛି

ମୋର ଦ୍ୱାହି ଦେଇ ଅମାନବିକତାର ସବୁ ସୀମା ଯିଏ ଡେଇଁଛି

ଅବଶେଷ ମୋର ଅନ୍ତରାତ୍ମା ସେଇ ମାନବକୁ ପ୍ରଶ୍ନ କରୁଛି


ମୁଁ ମାନବିକତା କହୁଛି 

ଦୟା କ୍ଷମା ପ୍ରେମ ଆଭୂଷଣ ମୋର ସମାଜ ଛଡ଼ାଇ ନେଇଛି

ନୃଶଂସତାର ଆହୁତିରେ ମୋର ଉପସ୍ଥିତି ବଳି ଦେଇଛି

ଚାରିପାଶେ ମୋର ତୀବ୍ର କ୍ରୁରତାର ଅଣଚାଶ ବାଆ ବହୁଛି

ମାନସିକତାର ଦୁସ୍ଥ ପ୍ରାଙ୍ଗଣେ ମୁଁ ମୋ ନିଖୋଜ ଅସ୍ତିତ୍ୱ ଖୋଜୁଛି


ମୁଁ ମାନବିକତା କହୁଛି 

କାହିଁ ଆଜି ଖୁସି କାହିଁ ବା ପ୍ରଶାନ୍ତି କାହିଁ ପୁଲକର ଛାୟା

ମୋ ଅନ୍ତରେ ସବୁ ଅନ୍ତରେ ବିସ୍ତୃତ ଉଦାସୀନତାର କାୟା

ଅମାନବୀୟ ଏ ସଭ୍ୟ ସମାଜେ ଆଜି ମତେ ଖୋଜା ପଡ଼ିଛି

ବିଜ୍ଞଜନଙ୍କର ସ୍ୱକର୍ମେ ତେବେ ମୁଁ କାହିଁକି ନିଅଣ୍ଟ ପଡ଼ୁଛି


ମୁଁ ମାନବିକତା କହୁଛି 

ସାଧାରଣତାର ଘୋଡାଦୌଡ଼େ କରି ଭିନ୍ନତାକୁ ହତାଦର 

ସ୍ୱତନ୍ତ୍ର କ୍ଷମକୁ ହେ ସମାଜ କିଆଁ ଅକ୍ଷମ ତୁମେ ବିଚାର

ନାରୀ ପୁରୁଷର ବନ୍ଧନୀରୁ ଉର୍ଦ୍ଧ୍ୱେ ଯେ ନିଜ ପରିଚୟ ବାଛିଛି

ମତେ ଅନାଦରି ଏ ସମାଜ ତା'କୁ ଉପହାସ ଭେଟି ଦେଇଛି


ମୁଁ ମାନବିକତା କହୁଛି 

ଅବସାଦ ଚାପ ଆଶଙ୍କାରେ ଯେବେ ବ୍ୟଗ୍ର ହୁଏ କା'ର ହୃଦ

ଅସହାୟତା ତା' ତୁମ ପାଇଁ କିଆଁ ହୋଇଯାଏ ହାସ୍ୟାସ୍ପଦ

ଗାଢ଼ ନିରାଶାର ତିମିରୁ ବାହାରି ଯେ ନୂତନ ଆଲୋକ ଖୋଜୁଛି

ତୁମ କଟାକ୍ଷର ମରୁତେ ଆଶାର ଅନ୍ତିମ ଶିଖା ତା' ଲିଭିଛି


ମୁଁ ମାନବିକତା କହୁଛି 

ସାହାଯ୍ୟ ସୌହାର୍ଦ୍ଦ୍ୟ ସହାନୁଭୂତିର ଦେଖି ଦେଖି ଅବସାନ

ଦୀର୍ଘଶ୍ଵାସ ଛାଡ଼େ ଅବଶୋଶ କରେ ମୋର ଏଇ ନିଃସ୍ୱ ପ୍ରାଣ

ସୃଜନାର ହାତ ଛାଡ଼ି ବିଧ୍ଵଂସର ସହଗାମୀ ସିଏ ହୋଇଛି

ମାନବ ତ ଅଛି ମୋର ସତ୍ତା ତେବେ କାଇଁ ଅପସରି ଯାଉଛି


ମୁଁ ମାନବିକତା କହୁଛି 

ମାନସିକତାର ପରିପୂରକ ମୁଁ ଆଜି ବନ୍ଧୁତା ଆମ କ୍ଷୁର୍ଣ୍ଣ

ଶୀର୍ଣ୍ଣ ବିଚାରର ଅଦାଲତେ ଆମ ସାହଚର୍ଯ୍ୟ ପଥଶୂନ୍ୟ

ତଥାପି ଅଶ୍ରୁର ଅଣସରେ କିଏ ଆବାହନୀ ମୋର ଗାଉଛି

ହା ହୁତାଶର ଉଁଆସେ ମୋ ପାଇଁ ପ୍ରତୀକ୍ଷାର ଦୀପ ଜାଳୁଛି


ମୁଁ ମାନବିକତା କହୁଛି 

ଲଙ୍ଘିବାକୁ ହେବ କେତେ ଯେ ସଂକୀର୍ଣ୍ଣ ଚିନ୍ତାର ଦୁର୍ଗମ ପଥ

ଅନ୍ଧଗଳିରେ ରୁଢ଼ିବାଦିତାର କଣ୍ଟକିତ ଅବରୋଧ

ତଥାପି ବି ମୁଁ ହାରିନି

ପଶୁତ୍ୱର ରୁଦ୍ଧ କାରାଗାରେ ମୋର ସମ୍ପୂର୍ଣ୍ଣ ଅସ୍ତିତ୍ୱ ସାରିନି

ମାନବବାଦୀଙ୍କ ହୃଦୟ ତଳେ ମୁଁ ଆଜି ବି ନିଃଶ୍ୱାସ ନେଉଛି

ପୂର୍ଣ୍ଣ ଅବୟବେ ପୁନଃ ଆବିଷ୍କୃତ ହେବା ମୁହୂର୍ତ୍ତକୁ ମୁଁ ଚାହିଁଛି

ମୁଁ ମାନବିକତା କହୁଛି 

ମୁଁ ମାନବିକତା କହୁଛି......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍