ନବ ଜୀବନ
ନବ ଜୀବନ
ମୃତ୍ୟୁର ମୁକ୍ତ ମୁଖଶାଳାରେ
ମୁକ୍ତିର ମାନସାଙ୍କ
ଜୀବନର କାନଭାସ୍ ରେ କାହିଁକି
ମରଣର ଚିତ୍ର ଆଙ୍କ ।
ନିଃଶ୍ୱାସ ଯଦି ନିସ୍ବ ହେଉଛି
ଛାଡ଼ିପାର ଦୀର୍ଘଶ୍ବାସ
ଗରଳକୁ ବାଛ କାହିଁକି ଆବୋରି
କ୍ଷଣିକର ଅବଶୋଷ ।
ଜଠରେ ଯାହାର ଥିଲା ଆଶ୍ରା ତୋର
ସ୍ୱର୍ଗ ଯାହାର କୋଳ
ଆଶାଦୀପ୍ତ ସେଇ ଜନନୀ ଆଖିରେ
ଅନ୍ଧକାର କିଆଁ ବୋଳ ।
ଯାହା ହାତ ଧରି ଚାଲିଲେ ପଥେ ତୁ
ପୁଲକର ପୁଷ୍ପ ହସେ
ପିତାଙ୍କ ଆଦର ଅନାଦରି କିଆଁ
ବାଛି ନେଉ ମୃତ୍ୟୁ ଶେଷେ ।
କଷ୍ଟ ଯନ୍ତ୍ରଣାର କଣ୍ଟକିତ ପଥେ
ଚାଲିବା ଯଦିଓ ବାଧେ
ସେଇ ବେଦନାର କାଉଁରୀ ପରଶ
ମନେ ମନୋବଳ ବାନ୍ଧେ ।
ବିଷାଦ ବାରିରେ ଯଦିଓ ଭିଜୁଛି
ଅବାରିତ ଏବେ ମନ
ସୁଖର ଶ୍ରାବଣ ଫେରିଲେ ହୋଇବ
ବିଭୋର ତୋର ସ୍ପନ୍ଦନ ।
ମୁଠାଏ ଗରଳ ରଜ୍ଜୁ ଡୋର ତତେ
ଭେଟି ଦେବ ଯବନିକା
ମୁହୂର୍ତ୍ତକ ଧୈର୍ଯ୍ୟେ ଅତିକ୍ରମିବୁ ତୁ
ପତନର ବିଭୀଷିକା ।
ଅବସାଦ ତୋର ଅସରନ୍ତି ନୁହଁ
ହେବ ତା' ଉପସଂହାର
ମନ ଆକାଶେ ତୋ ସକାଳ ଆସିବ
ଘେନି ଆଲୋକ ଆଶାର ।
ପରିତ୍ୟାଗ କରି ବିଧ୍ଵଂସ ନ ଯାଇ
ଆତ୍ମସମାପ୍ତିର ପଥେ
ଆତ୍ମବିଶ୍ୱାସେ ତୁ ଅଗ୍ରଣୀ ହୁଅ
ନବ ଜୀବନର ସାଥେ ।