ଫୁଲେଇ ମୌସୁମୀର ପ୍ରୀତିଛିଟା
ଫୁଲେଇ ମୌସୁମୀର ପ୍ରୀତିଛିଟା
ଅସହ୍ୟ ନିଦାଘ ବିଦାୟ ନେଇଛି
ମେଘ ହସେ ଆକାଶରେ,
ଫୁଲେଇ ମୌସୁମୀ ଧୀର ସମୀରଣେ
ଛୁଇଁ ଯାଏ ଧିରେ ଧିରେ ।
ମୌସୁମୀର ଛୁଆଁ ମନରେ ଦେହରେ
ଫିଙ୍ଗିଦିଏ ପ୍ରୀତିଛିଟା,
ଆନମନା ହୁଏ ତାରୁଣ୍ୟ ଅଧୀରେ
ଚାଖିବାକୁ ପ୍ରୀତି ମିଠା ।
ଶ୍ୟାମଳାଙ୍ଗୀ ଲତା ଲଟେଇ ଯାଏ ତ
ଯାହାର ସାନ୍ନିଧ୍ୟ ପାଏ,
ନିବିଡ଼ ଆଶ୍ଳେଷେ ବାନ୍ଧିରଖେ ସତେ
ପ୍ରୀତିପୂର୍ଣ୍ଣା ହୋଇଥାଏ ।
କ୍ଷେତରେ ଶୁଭଇ କୃଷକ କଣ୍ଠରେ
ସଙ୍ଗୀତ ଯେ ପ୍ରୀତିବୋଳା ,
ଗାଏ ସେ ବିଭୋରେ ଆଜ ଦେଖିଲି ରେ
ନବୀନ ବୟସୀ ବାଳା ।
ଗାଆଁ ପୋଖରୀରେ ନୂଆ ମୌସୁମୀରେ
ପାଣି ଯେବେ ଭରିଯାଏ,
ଗାଧୁଆ ତୁଠରେ ନବ ଯଉବନୀ
କାମନା ଭରେ ଆଖିରେ ।
ରକ୍ତ ହଳଦୀର ଦେହକୁ ତାହାର
ଶାଢୀରେ ଲୁଚେଇ ଘଷେ,
ଆର ତୁଠେ ଯୁବ ପ୍ରାଣେ ପ୍ରୀତି ଜାଗେ
ଭିଜାଦେହ ସ୍ପର୍ଶ ଆଶେ ।
ମୌସୁମୀ ଛୁଆଁରେ ରାତି ଅନ୍ଧାରରେ
ବର୍ଷା ଯେବେ ଝରୁଥାଏ,
ଟପ ଟପ ତାର ଶବଦ ଭିତରେ
ପ୍ରୀତି ରଙ୍ଗ ଭାସିଯାଏ ।
ମୌସୁମୀ ଆଣେ ତ ଦେହରେ ପୁଲକ
ମନେ ଭରେ ପ୍ରୀତି ଆଶା,
ସଭିଙ୍କ ଦେହରେ ଲାଗେ ପ୍ରୀତି ଛିଟା
ଜାଗେ ମିଳନର ନିଶା ।

