କବିତା କିଶଳୟ
କବିତା କିଶଳୟ
ଵର୍ଷା ଛିଟାରେ ତୁ
ଗୀତି କବିତାରେ ତୁ
ରକ୍ତ ଗୋଲାପରେ ତୁ
ପକ୍ଷୀ କୂଜନରେ ତୁ
ସ୍ମତି ଆଇନାରେ ନିତିଦିନ
ଦେଖୁଛି ତୁମକୁ
ଧରା ଦେବ କେଉଁଦିନ
କହିବ କି ସଂଜକୁ ।
ସଞ୍ଜ ସଳିତ।ରେ ତୁ
ଶଙ୍ଖ ବାଜଣରେ ତୁ
ଧୂପ ନୈବେଦ୍ୟରେ ତୁ
ଫୁଲ ସୁଗନ୍ଧରେ ତୁ
ଅନୁଢ଼ା ଆଷାଢୀ ଆନମନା ତଟିନୀ ତୁ
ପ୍ରଗଲ୍ଭା ବାଟଭୁଲା କୁଳୁକୁଳୁ ଝରଣା ତୁ
ବିଜୁଳି ବରଣା ଲାଜକୁଳି ବଉଦ ତୁ
ନିତମ୍ବ ପ୍ରସାରୀ ମଧୁଲଗ୍ନା ମୌସୁମୀ ତୁ
ଦାଣ୍ଡ ଦରଜା ଖୋଲା କରି
ପ୍ରତିକ୍ଷାନ୍ତ ଅନନ୍ତ ଅଭିଳାଷୀ
ଲକ୍ଷାରଂଗ ଲଗେଇ ବାଁ ପାଦ ପକେଇ
ଅଲିଭା ଦାଗନ୍ଵେଷୀ ପ୍ରେମପ୍ରେୟସୀ ।
ସକାଳ କାକରରେ ତୁ
ପ୍ରଭାତି ଆକାଶରେ ତୁ
ଶାନ୍ତ ପୋଖରୀରେ ତୁ
ନୀର ପଦ୍ମପତ୍ରେ ତୁ
ପୂଜା ଥାଳି ଧରି ମନ୍ଦିରାର୍ଥେ କୂଳବଧୁରେ ତୁ
ସବୁଜିମାରେ ଛନ୍ଦା ସୁନାକ୍ଷେତ ଲହଡିରେ ତୁ
କଳସୀ ଜଳରେ ଚଲକି ଛଲକି ପାଣିଟୋପା ତୁ
ଆଇନା କାଚ ଚନ୍ଦ୍ର ବନ୍ଦନୀରେ ନାଳି ଟିକିଲି ତୁ
ବେପଥୁ ହୃଦୟ ନେଇ ବସିଛି ଚାହିଁ
ଆସିବ ମୋ ପ୍ରାଣସ୍ପନ୍ଦନ
ରଜ ମଉଜରେ ମାତିବା ଉଭୟେ
କଳିକା କିଶଳୟ ଉଦୟ ବନ୍ଦନ ।