ପ୍ରେମ ଦୀପାଳୀ
ପ୍ରେମ ଦୀପାଳୀ
ପ୍ରଥମ ପ୍ରେମର ଭାବନା କଳ୍ପନା
ଆଦ୍ୟ ଯୌବନର ଛୁଆଁ
ତନୁ ବଲ୍ଲରୀରେ ମହୁଲି ମାଦକ
ପ୍ରବାହେ କାମନା ନିଆଁ ।
କୃଷ୍ଣଚୂଡାର ରଙ୍ଗ ବେଭାର ସମ୍ଭାର
ମନେ ପଡ଼ିଯାଏ ଆଜି
ଅତର ବାସରେ ନହୁଲି ସତରେ
ପ୍ରେମ ଭଡୁଥିଲା ଭିଜି ।
ନିତି ମିଳାମିଶା ଗାଲୁ ଗପ ସପ
କଳ୍ପାଲୋକେ ବିଚରଣ
ଗ୍ଲାସ୍ କ୍ୟାଣ୍ଟିନ କୋଳେ ଗଛଛାଇ ତଳେ
ପାନୀୟ ପକୋଡ଼ା ଆୟୋଜନ ।
ହାତ ଧରାଧରି ଏକାନ୍ତ ବିହାରି
ରାଗରୋଷ ମାନ ଭଞ୍ଜନ
କୋଳେଇ ବସେଇ ହସେଇ ଗେହ୍ଲେଇ
ଭାବ ଆଦାନ ପ୍ରଦାନ ।
ଯୁଗ୍ମ ଲୀଳାଖେଳା ସିନେମା ମେଳା
ସିନ୍ଦୁରିତ ଉତ୍ତରଣ
ଭାବି ବସିଲେ ବି ଫେନିଳ ଅତୀତ
କେଞ୍ଚି ଦିଏ ମନ ପ୍ରାଣ ।
ସମୟ ବଇରୀ ବିଳମ୍ବ ଚାକିରୀ
ଛଡେଇ ନେଲା ମୋ ପ୍ରୀୟ।
ସମାଜକୁ ଡରି କୁଟୁମ୍ବ ଆବୋରି
ତୁନି ରହିଗଲା ଶ୍ରୀୟା ।
ସେ ପଟେ ଗୁମୁରି କାନ୍ଦୁଛି ସୁନ୍ଦରୀ
ବିଫଳ ପ୍ରେମ କାହାଣୀ
ଭାଗ୍ୟ ବିଡମ୍ବନା ଭୁଲି ବି ପାରେନା
ସନ୍ତାପିତ ଚିନ୍ତା ବାଣୀ ।
ସସ୍ତା ସୌଦାଗର ପ୍ରଥମ ବେପାର
ଅଥୟ ଆଜି ବି କରେ
କାୟମନୋବାକ୍ୟେ ନ ପାଇ ସନ୍ତାପେ
ଗୁମ୍ ସୁମ୍ ବସେ ଝୁରେ ।
ବାଉନେ ଯୌବନ ମାଗେ ସମ୍ଭାଷଣ
ଅଟ୍ଟହାସ୍ୟେ ମତି ରମେ
ଫେସବୁକେ ଦେଖି ବୟସୀ ଷୋଡ଼ଶୀ
ଗଗନେ ପବନେ ପ୍ରେମେ ।
ପ୍ରଥମ ଚାଟିଙ୍ଗ୍ ଭିଡ଼ିଓ କଲିଙ୍ଗ୍
ଆବଦ୍ଧ ସିନ୍ଦୁକ ଖୋଲିଲା
କେତେ ଅଭିମାନ ଖୋଲା ନିମନ୍ତ୍ରଣ
ସମ୍ଭାଳି ପାରୁନି ଭଲା ।
ପଛକୁ ଭାବିଲେ ପରିବାର ଆସେ
ପ୍ରେମ ବଳିଦାନ ତପସ୍ୟା
ଆଗକୁ ଡେଇଁଲେ କୂଳ ଲଙ୍ଘିଗଲେ
ଘର କୁଟୁମ୍ବକୁ ଲଜ୍ୟା ।
ଦୂର ପରବତ ଦୂରୁ ହିଁ ସୁନ୍ଦର
ପ୍ରାକୃତିକ ଶୋଭାବନ
ସମାଜ ପାରେରି ଭିତରେ ପହଁରି
ପ୍ରେମ ଥାଉ ଚିରନ୍ତନ ।
ତୁମ ଦୁନିଆରେ ତୁମେ ଆତଯାତ
ଦାୟିତ୍ଵ କର୍ତ୍ତବ୍ୟ ମୁଣ୍ଡେଇ
ଖୁସି ହେବା ଆମେ ଏହି ଧରାଧାମେ
ପ୍ରେମ ଦୀପାଳୀ ହୁଣ୍ଡେଇ ।
ଆହେ ଦୟାମୟ ଚିର ବନ୍ଦନୀୟ
ମହନୀୟ ତୁମ ବରାଭୟ
ତୁମ ଆଶିଷରେ ମନ ମୟୂଖରେ
ପୂଜାଫୁଲ ଫୁଟୁ ଅୟୁତ ଅକ୍ଷୟ ।