ରାଧିକା ନୟନ
ରାଧିକା ନୟନ
କେବେ ଆସିବେ ମୋର ଗିରିଧର ବେଣୁଧର,
କେବେ ପୁଣି ଶୁଣିପାରିବି ବଇଁଶୀରୁ ସପ୍ତସୁର,
ତୁମେ ହେଲ ମୋର ଲଳିତ ମୁଦିତ ଲୀଳାଧର,
ନିକାଞ୍ଚନ ନିଷ୍ପ୍ରଭ ଲାଗୁଛି ବୃନ୍ଦାବନ ଯମୁନା ତୀର ।
କେବେ ଯେ ହେବ ତୁମ ସହ ସମ୍ମୋହିତ ସାକ୍ଷାତକାର,
କେବେ ଶୁଣିବି ପ୍ରିୟତମଙ୍କର ପ୍ରେମତରଙ୍ଗର ଝଙ୍କାର,
ମୋ ବଂଶୀଧର ହେଉଛନ୍ତି ମୋର ମୃଦୁହାସର ଆଧାର,
ତାଙ୍କ ଦର୍ଶନ ହେତୁ କେନ୍ଦ୍ରିତ ଅଛନ୍ତି ମୋ ସମଗ୍ର ବିଚାର ।
ପ୍ରିୟତର ପୀତାମ୍ବରଙ୍କ ବଦନ ଯେ କେତେ ନିଆରା,
ଅଟକୁନି ଏ ରାଧା ଆଖିରୁ ନିର୍ମଳ ନିର୍ଝର ଅଶ୍ରୁଧାରା,
ମୋ ନିଦ୍ରା ବିଶ୍ରାମକୁ ଦେଇସାରିଛି ପ୍ରୀତିକର ପହରା,
ତୁମ ସାମୀପ୍ୟ ସାନ୍ନିଧ୍ୟ ଯେ ସମୁଚ୍ଚ ସାନନ୍ଦ ଆନନ୍ଦ ଭରା ।
ତୁମ ସ୍ନେହ ମୋ ପାଇଁ ନୀହାର,
ତୁମ ପ୍ରୀତି ମୋ ହେତୁ ତୁଷାର,
ତୁମ ସ୍ମିତହାସ ଶିଶିରର ସାର,
ତୁମ ବିନା ମୁଁ ଯେ ପୁରା ଅସାର ।
ତୁମ ପାଇଁ ରଖିଛି ବହୁ ସର ନବନୀତ ଦହି ପସରା,
ତୁମେ ଆମ ଅତି ଅପେକ୍ଷିତ ଅଦ୍ଵିତୀୟ କ୍ଷୀରଚୋରା,
ତୁମ ସହ ବ୍ୟତୀତ ମଧୁର କ୍ଷଣ ହେଲେ ଅପାସୋରା,
ତୁମେ ହେଲ ଏ ରାଧିକା ନୟନର ତରୁଣ ଅରୁଣ ତାରା ।