ଅଭୁଲା ମୁହୂର୍ତ୍ତ କିଛି
ଅଭୁଲା ମୁହୂର୍ତ୍ତ କିଛି


ବିସ୍ମୃତିର ଇଲାକାରୁ
କୂଢ କୂଢ ସ୍ମୃତିରପାଉଁଶ ଭିତରୁ
ଝଲମଲ ହୋଇ ଦିଶୁଅଛି
ସେଇ ଅପାସୋରା ମୁହୂର୍ତ୍ତ କିଛି |
ସେଇ ଦୂର ପାହାଡର ଚୂଡାକୁଛୂଇଁ
ଭସାମେଘ ମାଳା ଦେହେ ନିଏ ଭସାଇ
ମନ ଅମାନିଆ ହୁଏ ଭାସିବାପାଇଁ
ପୁଳା ପୁଳା ସେହି ମଧୁ ସ୍ମୃତିକୁ ନେଇ |
ମନେ ମୋର ନାଚିଯାଏ ସେହି ସମୟ
ମନେ ଜଗାଇଥିଲ ମୋ ପ୍ରୀତିପ୍ରଣୟ
ରୁଣୁଝୁଣୁ ସୁରେ ତୁମ ପାଦ କଙ୍କଣ
ଅଳପ ଗୋଲାପି ଓଠେ ମଧୁ ଭାଷଣ |
ଘନ ମେଘମାଳା ଦେହେ ଯେହ୍ନେ ଚପଳା
ତୁମ ଚୋରା ଚାହାଣି କରଇ ପାଗଳା
ଝଲମଲ କରୁଥାଏ ତୁୁମ ମେଖଳା
ଘୂରାଇ ପାରେନି ଜମା ମୋ ଆଖିଡୋଳା |
ତୁମଆଖି ତୀର ଦିଏ ହୃଦକୁ ହାଣି
ସରଗରେ କି ମରତେ ପାରେନି ଜାଣି
ମନ ହରିନିଏ ତୁମ ଚୋରା ଚାହାଣୀ
ସତେ କିପରି କାହିଁକି କେଜାଣି |
ମନେ ପଡେ ମୋର ଆଜି ପୁରୁଣାଦିନ
ତୁମ ସାଥେ ସେଇ ମଧୁ ମୁହୂର୍ତ୍ତମାନ
ତୁମ ହାତେ ଦିଆ ଶତ ଶତ ଚୁମ୍ବନ
ଖେଳାଇ ଦେଇଛ କେତେ ହୃଦେ କମ୍ପନ |
ମୃଦୁ ଛନ୍ଦାୟିତ ରାଜ ହଂସୀ ଚାଲିରେ
ଦେହୁ ପଦ୍ମ ଗନ୍ଧ ଭାସେ ଚାରିଦିଗରେ
ଯେହ୍ନେ ଢଳ ଢଳ ଜଳ ସାରୁ ପତରେ
ତୁମେ ନାଚି ଯାଉଅଛ ମୋର ଆଖିରେ |
ମିଠା ମିଠା ଲାଗେ ତୁମ ଅଧରୁ ହସ
ପ୍ରୀତି ବୋଳା ତୁମ ସେହି ମଧୁର ଭାଷ
ଅଭୁଲା ଅଟଇ ତୁମ ପ୍ରୀତି ପରଶ
ଲାଗଇ ଜୀବନ ବିନୁ ଯେସନ ଝସ |
ତୁମସାଥେ ବିତା ସେଇ ପୁରୁଣା ଦିନ
ଭାବୁଅଛି ବସି ମୁହିଁ ରାତି ଓ ଦିନ
ମନେ ପଡେ ଆମ ସେଇ ମଧୁ ମିଳନ
ଏକାକୀ ଏକାକୀ ଭାରି ଲାଗେଜୀବନ |
ଫେରି ଆସପୁଣି ସାଥି ମୋର ଜୀବନେ
ବସି ଭାବୁଅଛି ଆଜି ମୁଁ ମନେମନେ
ମୃତପ୍ରାୟ ପ୍ରାଣେ ଭରି ଦେଇ ଜୀବନ
ସନ୍ତାପିତ କରି ଦିଅ ମୋର ପରାଣ |