ଶରଧା ହୃଦୟ
ଶରଧା ହୃଦୟ
ପ୍ରେମ ବୈତରଣୀ କୂଳରେ ହୃଦୟ
ଦେଖିଲା ଶ୍ରଦ୍ଧାର ମୁହଁ
ପ୍ରୀତି ଅଗଣାରେ ଆଙ୍କିଲା ମୁରୁଜ
ହୃଦୟୁ ଝରାଇ କୋହ ।
ଚାରି ଆଖିର ଏ ଅଦ୍ଭୁତ ମିଳନେ
ଜନ୍ମ ନେଲା ଶୁଦ୍ଧ ପ୍ରେମ
ଶରଧା ହୃଦୟ ବାଣ୍ଟିଲେ ଶରଧା
ଅଯାଚିତ ଓ ନିଷ୍କାମ ।
ଦଣ୍ଡେ ନ ଦେଖିଲେ ଜଣେ ଅପରକୁ
ଫାଟି ଯାଉଥିଲା ହୃଦ
ପ୍ରତିବନ୍ଧକକୁ ବାଧା ଦେଉଥିଲେ
ନ ମାନି କିଛି ବି ଭେଦ ।
ଦୁହିଁଙ୍କ ପ୍ରେମରେ ପାଗଳ ପରାୟ
ହେଉଥିଲା ବନ ଭୂଇଁ
ଅକାଳ ଚଡକ ଦେଲା ଶରଧାକୁ
କେବେ ସେ ଫେରିଲା ନାହିଁ ।
ଅନ୍ତିମ ସମୟେ କୋଳେ ରଖି ତାକୁ
କାନ୍ଦିଲା ହୃଦୟ ପ୍ରାଣ
ଶରଧାର ଆତ୍ମା କହିଲା କାନ୍ଦନା
କରିଛି ପା ସମର୍ପଣ ।
ଛାଡି ଯାଉଅଛି ପାର୍ଥିବ ଶରୀର
ଦେଇ ମୋ ଆତ୍ମା ହୃଦୟ
ମୋ ହୃଦୟ ପାଶେ ବାନ୍ଧିବ ହେ ବସା
ଗଢିବ ପ୍ରେମ ଆଳୟ ।
ସ୍ମୃତି ବଗିଚାରେ ଫୁଟାଇବ ଫୁଲ
ନାମ ଦେବ ତା ପ୍ରଣୟ
ନିତି ତୋଳି ତାକୁ ସାଥିରେ ଧରିବ
ନ କରି କାହାକୁ ଭୟ ।
ଶରଧାର ସେହି ଆକର୍ଷଣ ବଳେ
ହୃଦୟ ତା ପାଶେ ଯାଇ
ଗଢିଲା ସୁନ୍ଦର ପ୍ରୀତିର ମହଲ
(ତା) ମନ ଆତ୍ମା ଗଲା ରହି ।
ସେ ବୈତରଣୀ କୂଳେ ଖୋଲା ପ୍ରାନ୍ତରରେ
ଯେବେ ବି ହୃଦୟ ବସେ
ଶରଧା ଯେମିତି ଦୌଡ଼ି ଦୌଡ଼ି ଆସି
ତାକୁ ଧରି ଟିକେ ହସେ ।
ଶରଧା(ର) ହୃଦୟ ଛିଡା ହୋଇଯାଏ
ସତେ ବା ପ୍ରେମ ପାଦପ
କାନ୍ଦି କାନ୍ଦି କହେ ହେଲାନି ମିଳନ
କରିଥିଲି କି ମୁଁ ପାପ ?
ଶରଧା ଆଖିର ଦି ଟୋପା ଲୁହକୁ
ହୃଦୟ ଯେବେ ବି ପୋଛେ
କୋହଭରା ଓଠ ଥରାଇ ଶରଧା
(କହେ) ଅଛି ମୋ ହୃଦୟ ଏ ଗଛେ।
ସେ ଗଛକୁ ଛୁଇଁ ପାଶେ ଛିଡା ହୋଇ
ଆକାଶକୁ ଯେବେ ଚାହେଁ
ଶରଧାର ସ୍ପର୍ଶ ଦେହେ ଖେଳିଯାଏ
ତା ଆଖି ଓଠ କଥା କହେ।
ଶରଧା ହୃଦୟ ପ୍ରେମର କାହାଣୀ
ରହେ ଜନ୍ମ ଜନ୍ମାନ୍ତର
ଅକାଟ୍ୟ ଅଛିଣ୍ଡା ଅଭେଦ୍ୟ ଅଲିଭା
ତାଙ୍କ ପ୍ରଣୟ ସମ୍ଭାର।