STORYMIRROR

Samita Swain

Action

3  

Samita Swain

Action

ଶ୍ରାବଣୀ ଗୋ

ଶ୍ରାବଣୀ ଗୋ

1 min
429

ଶ୍ରାବଣୀ ଗୋ ତୁମ ନୀଳ ନୟନରୁ 

ନୀର ଝରେ ଘନଘନ

ନବ ପଲ୍ଲବୀତ ତରୁଲତା ଦ୍ରୁମ 

ହସେ ଆକାଶ ବିତାନ।


ଦର୍ଶନ ମାତ୍ରକେ ମୟୂର ନାଚଇ

ନୀଳ କଳାପକୁ ଟେକି

ପ୍ରବୋଧି ମନକୁ ଚାହିଁ ନୀରଦକୁ

ପୁଲକିତ ହୁଏ କେକୀ।


ଅଝଟ ଶ୍ରାବଣ ମଧୁ ସଂଗୀତର

ସୁଲଳିତ ରାଗିଣୀରେ

କାନନେ ପ୍ରାବୃଟ ନୃତ୍ଯ ରଚୁଥାନ୍ତି

ଉଲ୍ଲାସ ରେ ମହୀପରେ।


ଯୁଥିକା ଫୁଲର ସୌରଭରେ ନାସା

ସୁଗନ୍ଧେ ମୋହିତ ହୋଇ

ଧୀର ସମୀରଣ ଶୀତଳ ସ୍ପର୍ଶରେ

ରହିରହି ସ୍ଫୁରୁଥାଇ।


ଶୁଭ୍ର ମଲ୍ଲିକାରେ ଦିଗ ଚହଟଇ 

ମଧୁପ ଆସନ୍ତି ଧାଇଁ 

ପ୍ରଫୁଲ୍ଲିତ ମନେ ମଧୁ ଆସ୍ବାଦନେ

ଫୁଲକୁ ଯାଆନ୍ତି ଛୁଇଁ।


ଶ୍ରାବଣ ଶୀକର ଶିବ ଶ୍ରବଣରେ

ଆବାହନୀ ମନ୍ତ୍ର ଗାଇ

ଜଳ ଅଭିଷେକ କରିଥାନ୍ତି ଭକ୍ତ 

ପୁଣ୍ଯତୀର୍ଥ ଜଳନେଇ।


ମାଧବୀ ମଣ୍ଡିତ ରସିକ ଜଳଦ

ଢାଳି ସେ ସୁରଭି ବାରି

ପଦ୍ମରାଗ ପୁଷ୍ପ ଦିଏ ପୁଷ୍ପାଞ୍ଜଳୀ 

ଦୁଇ ପାପୁଲିରେ ଧରି।


ବାତାୟନ ପାଖେ ଲାଜୁଆ ପ୍ରେମରେ

ମୁଗ୍ଧା କିଶୋରୀ ଟି ପରି

ନୀଳ ନୀଳିମାକୁ ଚାହିଁ ରହିଥାଏ

ଭିଜିବାକୁ ମନଭରି।


ଶ୍ରାବଣୀ ଗୋ ତୁମ ମୂର୍ଚ୍ଛନାରେ ଝରେ

ମଧୁର ପ୍ରଣୟ ରସ

ସିକ୍ତ କରିଦିଅ ଜୀବନ ପାତ୍ରକୁ

ହେଉ ବିରହର ଶେଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action