ଶିକ୍ଷକ
ଶିକ୍ଷକ
ନବୀନତା ଭରିଦିଏ ଯେ ତନ୍ଦ୍ରାଛିନ୍ନ ଚକ୍ଷୁରେ
ଆଲୋକର ପଥ ଦେଖାଏ ଅନ୍ଧାର ଭିତରେ
ଅସ୍ଥିର ଚିତ୍ତରେ ଆଣେ ସଦା ସମ୍ପୂର୍ଣ୍ଣ ସ୍ଥିରତା
ଚିର ନମସ୍ୟ ସେ ,ନିଃସନ୍ଦେହେ ଜଗତଜିତା ,
ଇଶ୍ବର ତୁଲ୍ୟ ଶିକ୍ଷକ ଏ ସମାଜ ପାଇଁ ଲୋଡ଼ା
ଆଗାମୀ ପିଢ଼ିକୁ ଗଢିବ କେ ବା ତାଙ୍କ ଛଡା
ତାଙ୍କରି ପ୍ରଚେଷ୍ଟାରେ ସମ୍ଭବ ଗୁଣୀ ବିଦ୍ୟାର୍ଥୀ
କଥା ତାଙ୍କ ମାନିଲେ ସମାଜ ହେବ ଲାଭାର୍ଥୀ ,
ଜଗତ ସାକ୍ଷୀ ସେ ସୂତ୍ରଧର ରାଷ୍ଟ୍ର ନିର୍ମାଣର
ଛାତ୍ର ଛାତ୍ରୀ ଗଢିବାରେ ନାହିଁ ବାଛ ବିଚାର
ତାଙ୍କରି ଆଶୀର୍ବାଦେ ଶିଷ୍ୟ ରାମ କୃଷ୍ଣ ଅର୍ଜୁନ
ସର୍ଵଜ୍ଞାତ ସେ ହିଁ ,ଦେଶ ଜାତିର ଅଭିମାନ ,
କେବେ ସେ ଚାଣକ୍ୟ କେବେ ପୁଣି ଗୁରୁ ସାନ୍ଦିପନୀ
ତାଙ୍କରି ମାର୍ଗ ଦର୍ଶନେ ଦୂର ହୁଏ ଯାମିନୀ
ମହତ୍ ଗୁଣରେ ଗୁଣୀ ହୈତଷୀ ସେ ସମାଜର
ଶିକ୍ଷା ଦାନେ ପୂର୍ଣ୍ଣତା ଆସେ ତାଙ୍କ ଜୀବନର ,
ଉଜୁଡା ଏ ଛାତ୍ର ସମାଜକୁ ସଜାଡ଼ିବା ପାଇଁ
ଶିକ୍ଷକଙ୍କ ଅବଦାନର ତୁଳନା ଯେ ନାହିଁ
ପ୍ରାପ୍ତି ଆଉ ପରିଚିତିର ପ୍ରଲୋଭନ ଠୁ ଦୂରେ
ଚରିତାର୍ଥ ହୁଏ ତାଙ୍କ ଜୀବନ ଏ ମହୀରେ ।