ଶୀତରାଣୀ ସ୍ପର୍ଶ
ଶୀତରାଣୀ ସ୍ପର୍ଶ
ମୁଲାୟମ କିରଣର ରଙ୍ଗ ମୁରୁଜ ବିଛାଇ
ଗାଲିଚାକୁ ଫୁଲରେ ସଜାଇ
ଧରାପୃଷ୍ଠେ ଅବତୀର୍ଣ୍ଣ ଶୀତରାଣୀ ,
ଆସ ତାଙ୍କୁ ସଙ୍ଖୋଳିବା ଖୁସି ମନେ
ସୁସମ୍ପର୍କ ସୁଖ ସ୍ପର୍ଶ ପାଇଁ ।
ଥାଉ ବା ନଥାଉ ପାଶେ କୋଠାବାଡି ଧନ
ହେବା ନାହିଁ ସାମାନ୍ଯ କୃପଣ
ମନ ଭରି ନିରେଖିବା ସକାଳର ସୂରୁଜଙ୍କୁ
ତାପି ହେବା ସୁନେଲି କିରଣ
ଚା କଫି ପିଆଲାରୁ ପିଇଯିବା ଉଷ୍ମ ।
ଡାକୁ କି ନ ଡାକୁ ଋତୁ ଶୀତରାଣୀ ଆସେ
ନିୟମିତ ଆମ ପାଶେ ଆମ ଅଜାଣତେ
ଜୀବନୁ ଭୁଲାଇବାକୁ କ୍ଷତ ଓ ଆଘାତ ଫାଟ
ହାତେ ପୁଷ୍ପ ଗୋଲାପର ଗୁଚ୍ଛ ଧରି
ଅଯାଚିତେ ଦେଇଯାଏ ସୁନାଶସ୍ଯ ସୁଉର୍ବର କ୍ଷେତେ ।
ଶୀତରାଣୀ ମନଭାବ ଆତ୍ମୀୟତା ସହୃଦୟେ
ବୁଝିନେଲେ ହେବା ଆମେ ଧନ୍ଯ
ପୂର୍ଣ୍ଣ ହେବ ଜୀବନର ସବୁ ସୁଖ ସ୍ୱପ୍ନ
ବିନ୍ଦୂଏ ଅମୃତ ମାତ୍ର ସରଜିବ କୁମ୍ଭତୀର୍ଥ
ସନ୍ତୋଷର ବୀଜଟିଏ ସୃଜିବ ନନ୍ଦନ ।