Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ବିଶ୍ବଗୁରୁ ଭାରତ

ବିଶ୍ବଗୁରୁ ଭାରତ

1 min
5



ପରାଧୀନତାର ତମସା ଅନ୍ଧାରୁ ଅହିଂସ ବିମୁକ୍ତି 

ପ୍ରଗାଢ ଯେଉଁଠି ବିଜ୍ଞାନ ଜ୍ଞାନ 

ଆଲୋକ ସତ୍ଯର ଯହିଁ ସୁପ୍ରକାଶ ପୁଣ୍ଯ ଦେବଭୂମି

ସେ ଦେଶ ଭାରତ ଅଟେ ମହାନ ।

ଉଦ୍ଭବିଛି ଯାର ପ୍ରଣବ ନିନାଦେ ସଂସ୍କୃତି ସଂସ୍କାର 

ମାନବ ଉତ୍କର୍ଷ ସୁମୂଲ୍ଯବୋଧ 

ଘୋର ତପାଚରି ଯାର ମୁନି ଋଷି ଯାଇଛନ୍ତି ରଚି

ଦିବ୍ଯ ଶାସ୍ତ୍ର ବେଦ ଉପନିଷଦ ।

ପୁରାଣ ସାହିତ୍ଯ କାବ୍ଯ ବ୍ୟାକରଣ ଯହିଁ ସମୁନ୍ନତ 

ପଟ୍ଟାନ୍ତର ନାହିଁ କଳା ଚାତୁର୍ଯ୍ଯେ

ଭୂମି ଆର୍ଯ୍ୟାବର୍ତ୍ତ କମଳ ସଦୃଶ ମୂଲକ ଉତ୍କଳ 

ଅରଜିଛି ଖ୍ଯାତି ନୌବାଣିଜ୍ୟେ ।

ଏ ମାଟିର ପଙ୍କୁ ଉଠଇ ବିକଶି ପ୍ରଫୁଲ୍ଲ କମଳ

ଶାନ୍ତି ଶତଦଳ ପ୍ରଗତି ମୁକ୍ତି

ସବୁଜ ତା ପ୍ରାଣେ ଅଫୁରନ୍ତ ଶକ୍ତି ଅଛି ସୁସଙ୍କଳ୍ପ 

ଭାରତୀୟ ବୀର ସୁବିବେକମତି ।

ଆଚରି ସଂଯମ ସତ୍ଯ ଦୟା କ୍ଷମା ଗୁଣେ ଭାରତୀୟ

ଅଟେ ଅପ୍ରତିମ ପୁରୁଷୋତ୍ତମ 

ସୂତ୍ରଧର ସିଏ ସଭ୍ଯ ଜଗତର ସୁକର୍ତ୍ତବ୍ଯବୋଧେ

ମଣେ ବସୁଧାକୁ ନିଜ କୁଟୁମ୍ବ ।

ଉଜ୍ଜ୍ବଳ ତାହାର ଗୌରବର ଗାଥା ଅକ୍ଷର ସ୍ବର୍ଣିମେ

ଅଛି ଲିପିବଦ୍ଧ କାଳର ବକ୍ଷେ

ଉଡାଇ ଅଛନ୍ତି ଏ ମାଟିର ଯୋଦ୍ଧା ବାନା ବୈଜୟନ୍ତୀ

ଚଉଦ ବ୍ରହ୍ମାଣ୍ଡେ ସମଗ୍ର ବିଶ୍ବେ ।

ଜାଭା ମାଳଦ୍ୱୀପ ଶ୍ରୀଲଙ୍କା ଜାପାନ ପୂରୁବ ପଶ୍ଚିମ

ଚାଇନା ୟୁରୋପ ଦେଶ ବିଦେଶ 

ସୁତୁଙ୍ଗ ଶିଖରେ ପାତାଳ ଗର୍ଭରେ ଅଛି ମହଜୁଦ

କେତେ କୀର୍ତ୍ତିମାନ ଭଗ୍ନାବଶେଷ ।

ଯାବତ ଚନ୍ଦ୍ରାର୍କେ ଅବ୍ଯର୍ଥ ତା ଲକ୍ଷ୍ଯେ ମହତ ଭାରତ

ଜୀବନେ ଅମୃତ ଅନୁସନ୍ଧିତ୍ସୁ 

ଭୂମିକା ତାହାର ସୃଜନ ପାଳନେ କଳ୍ପବଟ ସମ 

ବିଶ୍ବଗୁରୁ ସିଏ ସମ୍ମାନୀୟେଷୁ । 

      -



Rate this content
Log in

Similar oriya poem from Action