ପ୍ରତିଧ୍ବନି କହେ ତୁମେ
ପ୍ରତିଧ୍ବନି କହେ ତୁମେ
ଜାଣେନି ତୁମକୁ କାହିଁକି ଖୋଜୁଛି
ମନ ମୋର ଅହରହ
ଧରାରେ ସାଗରେ କି ନୀଳ ଆକାଶେ
ତୁମେ କାହିଁ ଅଛ କୁହ ।
ଉକୁଟେ ଜହ୍ନର ଛାୟା ପ୍ରତିବିମ୍ବ
ସ୍ବଚ୍ଛ ସ୍ଥିର ଜଳାଶୟ
ତଲ୍ଲୀନ ମୋ ମନ ହୁଅଇ ଅଥୟ
ଆଶ୍ରୟ ଖୋଜେ ହୃଦୟ ।
ପଚାରଇ ଯେବେ ପ୍ରଶ୍ନ ମୁଁ ନିଜକୁ
ପ୍ରତିଧ୍ବନି କହେ ତୁମେ
ସୁମନର ବାସେ ହୁଏ ମୁଁ ବିମୁଗ୍ଧ
ଚିତ୍ତ ଇତଃସ୍ତତଃ ଭ୍ରମେ ।
ଜଣା ନାହିଁ ମୋତେ ଠିକଣା ତୁମର
କିଏ ତୁମେ ଫୁଲପରୀ
ଚାହେଁ ମନ ମୋର ଲାଗନ୍ତା କି ପକ୍ଷ
ତୁମ ପାଶେ ଯାନ୍ତି ଉଡି ।
ଜାଣେନି କେବେ ମୋ ପୂର୍ଣ୍ଣ ହେବ ଆଶା
ପ୍ରତୀକ୍ଷା ହୋଇବ ଶେଷ
ଭରିଯିବ ପ୍ରାଣେ ଆନନ୍ଦ ଉଲ୍ଲାସ
ମେଣ୍ଟିଯିବ ଅବଶୋଷ ।
ଦେଖିବି ନିରେଖି ନିଜକୁ ମୁଁ ନିଜେ
ତୁମ ଆଖି ଆଇନାରେ
ଶୁଣିବି ମଧୁର ଧ୍ବନି ପ୍ରତିଧ୍ବନି
ସନ୍ତର୍ପଣେ ଏକାନ୍ତରେ ।