ଲାବଣ୍ୟ
ଲାବଣ୍ୟ
ତୁମେ ତ ଆସିବ ବୋଲି
କେତେ ଯୁଗରୁ ଅପେକ୍ଷା କରିଛି
ମେଘର ସେ ଘନ ପରଦାରେ ମୁଁ
ତାରା ଫୁଲ ବୁଣିଦେଲି
ଜହ୍ନର ସେଇ ସ୍ନିଗ୍ଧ ଜୋଛନାରେ
ନିଜକୁ ହଜେଇ ଦେଲି
ତୁମେ ତ ଆସିବ ବୋଲି l
ବିଛାଇ ଥିଲି ମୁଁ ତାରା ଫୁଲ କେତେ
ମେଘର ଶେଯରେ ଖାଲି
କନକ ଧଡ଼ିର କଳାମେଘି ପାଟ
ସାଇତି ରଖିଛି ଖାଲି
ତୁମେତ ଆସିବ ବୋଲି l
କାଚ ଆଇନାରେ ନିଜକୁ ଭୁଲି
ଦେଖୁଥିଲି ତୁମର ଛବି
ତୁମର ସିନ୍ଥୀରେ ସିନ୍ଦୁର ଦେଇ ମୁଁ
ସାଥି ଟିଏ ହେବି ଭାବି
ଅପେକ୍ଷା କରିଛି ତୁମକୁ ତ ସାଥି
ତୁମେ ତ ଆସିବ ବୋଲି l
ଫଗୁଣ ଅବିର ରଖିଛି ସାଇତି
ତୁମ ଦେହେ ଦେବି ବୋଲି
ଗୋଲାପ ମର ସଦ୍ୟ ପାଖୁଡା ରଖିଛି
ତୁମ ପଥେ ଦେବି ଢ଼ାଳି
ତୁମେତ ଆସିବ ବୋଲି l
ମଲ୍ଲୀ ଫୁଲ ସେ ଗଜରା ରଖିଛି
ଗଭାରେ ସାଜିବି ବୋଲି
ରୁପ ଲାବଣ୍ୟ ଅପରୂପା ତୁମେ
ପ୍ରେମ ଅର୍ଘ୍ୟ ଦେବି ତୋଳି
ତୁମେତ ଆସିବ ବୋଲି l
ବିରହ ମନର ବିରହ ବେଦନା
କହିବି କାହାକୁ ଭଲା
ଅବ୍ୟକ୍ତ ଭାବନା ହୃଦୟରେ ମୋର
ପ୍ରେମ ରଙ୍ଗ ବୁଣିଦେଲା
ତୁମକୁ ଅପେକ୍ଷା କଲି
ତୁମେତ ଆସିବ ବୋଲି ।