ଅଭିମାନୀ ବର୍ଷା
ଅଭିମାନୀ ବର୍ଷା
କେତେ ଯେ ବିନିଦ୍ର ରଜନୀ କାଟିଛି
ତୋ ବାଟକୁ ଚାହିଁ ଚାହିଁ
କି ଦୋଷ ଅବା ମୁଁ କରିଥିଲି କହ
ତୁ କିଆଁ ଆସିଲୁ ନାହିଁ I
ପବନ ହାତରେ ବାରତା ଦେଲି ମୁଁ
ଆକାଶେ ଲେଖିଲି ଚିଠି
ଅଭିମାନ ତୋର ଭାଙ୍ଗି ପାରିଲିନି
ଯାଇଥିଲୁ ପରା ରୁଷି I
ହଠାତ୍ ଦିନେ ମୋ ଝରକା ସେପାଖୁ
ଶୁଣିଦେଲି ତୋର ସ୍ୱର
ଆସୁଥିଲୁ ତୁହି ଧିର ପାଦଚାଳି
ଲାଗୁଥିଲୁ ଆପଣାର I
ଅଭିମାନେ ସିନା କଥାପଦେ ତୋତେ
କହିଲିନି ତୁଣ୍ଡ ଖୋଲି
ତୋ ପ୍ରୀତି ପରଶ ଭିଜାଇଲା ମୋତେ
ତୋ ଲୁହରେ ଭିଜିଗଲି I