STORYMIRROR

Kananbala Das

Romance Classics

3  

Kananbala Das

Romance Classics

ଅଭିମାନିନୀ ରାଧାରାଣୀ

ଅଭିମାନିନୀ ରାଧାରାଣୀ

1 min
221


ମଧୁମୟ ଧାରା ଅମୃତ ପସରା

ହୃଦୟେ ପୀୟୂଷ ଭରା,

ମଧୁର ମୂର୍ଚ୍ଚନା ତୋଳିଦେଲ ପ୍ରଭୁ

ଜୀବନେ ମାଧୁର୍ଯ୍ୟ ଭରା।


ହୃଦୟ ହାରିଛି ତୁମ୍ଭରି ପାଖରେ

ବୁଝିପାରିଲନି ସତେ,

ସ୍ୱୀକାର, ସ୍ୱୀକୃତି ଦେଲନାହିଁ ସିନା

ପରକରିଦେଲ ମତେ।


କେତେ ଆପଣା ର ହୋଇଥିଲ ସତେ 

କେମିତି ପାଷାଣ ହେଲ,

ରାଧାରାଣୀ ତୁମ ପ୍ରୀତି ପାଗଳିନୀ

କିମିଆ ରେ ମନ ନେଲ।


ଭାବପୀରତି ରେ କେଉଁ ଉଣା ହେଲା

ବୁଝିପାରିଲନି କେବେ,

ପ୍ରତ୍ୟକ୍ଷ ରେ ଅବା ପରୋକ୍ଷ ରେ ହେଉ

ଜଣାଇଦେବ ତ ଏବେ।


ପ୍ରତିଶୃତି ଟିଏ ଦେବକି କହ୍ନାଇ

ବ୍ୟାକୁଳିତ ପ୍ରାଣ ଝୁରେ,

କି କିମିଆ କଲ କଥାର ଯାଦୁରେ

ବଞ୍ଚି ଥାଉ ଥାଉ ମରେ।


ଝୁରିବକି ଥରେ ରାଧା ପାଇଁ କାହ୍ନା

ବିରହ ବେଦନା ମାଖି,

ଗୋପନେ ହୃଦୟେ ଚିରକାଳ ପାଇଁ

ପାରିବକି ମତେ ରଖି।


କଳଙ୍କ ର ଟିକା ମଥାରେ ପିନ୍ଧିଲି

ପ୍ରେମ କରିଥିଲି ସତେ,

ଯମୁନା କୂଳକୁ କଦମ୍ବ ମୂଳକୁ

ଗୋପଦାଣ୍ଡ ମନା ମତେ।


ଶରୀର ତ ଅଛି ପ୍ରାଣ ହୀନ ହୋଇ

ତୁମ ପାଶେ ଅଛି ମନ,

ତୁମ ରାଧା କେବେ ମନେ କିପଡୁନି

ଭୁଲିଗଲ ଶ୍ୟାମଘନ।


ରାଈ ରାଈ ବୋଲି ବଇଁଶୀ ର ସ୍ୱର

ଶୁଭିବନି କେତେବେଳେ,

ରାଈ ବିନୋଦିନୀ ହୋଇ ଚାତକିନୀ

ଆତ୍ମ ପୀଡନ ରେ ଜଳେ।


ରାଧାରାଣୀ ଝୁରେ କାହ୍ନାପାଇଁ ସିନା

ଦଗାଦିଆ ସେ କହ୍ନାଇ,

ଭାବ ଦିଆ ନିଆ ସବୁ ମିଛ ହେଲା

ଝୁରି ମରିବାର ପାଇଁ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance