ଶୀତ ରାଣୀ ଆସିଲାଣୀ
ଶୀତ ରାଣୀ ଆସିଲାଣୀ
ଶୀତ ଆସିଛି ଗୀତ ଗାଉଛି
ଶିଶିର ବିନ୍ଦୁ ସାଥେ
ସୁନେଲି ଆଭା ମନରେ ଲୋଭା
ସକାଳ ଫୁଲ ରଥେ ।
ହସେ ବଗିଚା ଘାସ ଗାଲିଚା
ସବୁଜ ରଙ୍ଗ ଧାରେ
ଶିମିଳି ଫୁଲ ବଡ଼ ଡଉଲ
ଦିଶଇ ଗଛ ଡାଳେ ।
ଲାଗଇ ମଜା ବାଦାମ ଭଜା
ନିଆଁ ପାଖରେ ସଞ୍ଜେ
ଆଈମା ଗପ ଜେଜେଙ୍କ ଜପ
ଶୁଣିଲେ ପ୍ରାଣ ରଞ୍ଜେ ।
ତତଲା ଭାତ ଶୁଣରେ ମିତ
ଖାଇଲେ ଲାଗେ ଭଲ
ତା' ସାଥେ ଖଟା ଆଳୁ ଚକଟା
ଅମୃତ ସମ ତୁଲ ।
ଶୀତରେ ପୁଣ ଗରମ କୋଣ
କମ୍ବଳ ପଡେ ଖୋଜା
ସରିଲେ ଶୀତ ଆସେ ବସନ୍ତ
ଗାଏ କୋକିଳ ରଜା ।
ଶୀତରେ ସତେ ମିଳଇ ଯେତେ
ତଟକା ଶାଗ ଫଳ
ଖାଇବା ଏହି ଋତୁରେ ସେହି
ମଧୁର କନ୍ଦ ମୂଳ ।
ଯିବାନି ଡରି ଶୀତରେ ଥରି
କରିବା ପାଇଁ ସ୍ନାନ
ନଡରି କଲେ ଗାଧୁଆ ପିଲେ
ନିଶ୍ଚଳ ରୁହେ ମନ ।
ଜାଣିଲେ ଧନ ଏ ଶୀତ ଦିନ
ଆମ ପାଇଁ ସୁନ୍ଦର
ଏ ଦିନେ ବାବୁ ମିଳଇ ସବୁ
କୁସୁମ ପରକାର ।
ଉଠରେ ପିଲେ ଯିବାରେ ଭଲେ
କରିବା କଷରତ
କଲେ ନିଇତି ଦୃତରେ ଗତି
ଉଭେଇ ଯିବ ଶୀତ ।
ସକାଳୁ ଆଖି ଖୋଲେନା ସଖି
ନିଦରୁ ଉଠିବାକୁ
ଶୀତ ଆସିଛି ଗୀତ ଗାଉଛି
ଆମକୁ ଡାକିବାକୁ ।