ସ୍ୱାର୍ଥ ସରିଗଲେ ସରିଗଲା ପରେ.....
ସ୍ୱାର୍ଥ ସରିଗଲେ ସରିଗଲା ପରେ.....
ଫୁଲକୁ ଦିନେ ମୁଁ ପଚାରିଲି ଯାଇଁ
କିଏ ତୋ ପ୍ରେମିକବର
ଫୁଲ କହେ ହସି ଭଅଁର ପ୍ରେମିକ
ପ୍ରକୁତି ନୁହେଁଟି ମୋର ।
ଭଅଁରକୁ ଦେଖି ପଚାରିଦେଲି ମୁଁ
ପ୍ରେମୀକା ତୋହର କିଏ
ଭୃଙ୍ଗ କହେ ମୁହିଁ ପ୍ରୀତି ଗୀତ ଗାଇ
ମଧୁ ଲୁଟିନେଇ ଯାଏ ।
ଗୋଟିଏ ଫୁଲରେ ନୁହେଁ ମୁଁ ସନ୍ତୁଷ୍ଟ
ଏକପାସୁ ଆନ ଯାଏ
ପୁରୁଷ ଜାତି ମୁଁ ରୂପ ସୌଦାଗାର
ମନଭରି ମଧୁ ପିଏ ।
ସାଗରକୁ ଦିନେ ପଚାରିଲି ଯାଇଁ
କହ ତୋ ପ୍ରେମୀକା କିଏ
ପ୍ରେମମୟୀ ନଦୀ ପ୍ରକୁତ ପ୍ରେମୀକା
ବରଷାରାଣୀ କି ହୁଏ ।
ଗଙ୍ଗଶିଉଳୀକୁ ଦେଖି ପଚାରିଲି
ଶୁଣିବୁକି ମୋର ଗୀର
ଅତି ସୁବାସିତ ମନୋହର ରୂପ
ପ୍ରେମୀକା ତୁହି କାହାର ।
ଅତି ଦୁଃଖିନୀ ମୁଁ ଏହି ସୃଷ୍ଟିରେ
ସଞ୍ଜ ହେଲେ ଆଖି ଖୋଲେ
ଯୌବନ ପସରା ନିଶିରେ ମୁଁ ମେଲି
ନିଶି ଅନ୍ତେ ଝରିପଡେ ।
ହୋଇପାରିଲିନି କାହାରି ପ୍ରେମୀକା
ହେଲିନି କାହା ନିଜର
ଅଭିଶପ୍ତ ମୋର ଏ ପୋଡା ଜୀବନ
ଦୁଃଖ ମୋ କପାଳ ଗାର ।
ବାଲ୍ୟ ବନ୍ଧୁକୁ ମୁଁ ପଚାରିଲି ଦିନେ
ପ୍ରେମୀକା ଅଛି କି ତୋର
ହସିଦେଲା ଧିରେ ଦେଲାସେ ଉତ୍ତର
ଯାହା ଏବେ ସମାଜର ।
ଦୁନିଆଁଟା ବନ୍ଧୁ ବଡ଼ ରଙ୍ଗମଞ୍ଚ
ଏଠି କେ ନୁହେଁ କାହାର
ସ୍ୱାର୍ଥପାଇଁ ଏଠି ସମସ୍ତେ ନିଜର
ସ୍ୱାର୍ଥ ସରିଗଲେ ପର ।