ମାଆ
ମାଆ
ଦୁନିଆ ବୁକୁରେ ପରିଚୟ ଦିଏ
ଛାତି ଚିରି ସିଏ ଅମୃତ ପିଆଏ
କୋଳେ ଧରି ଯିଏ ଜହ୍ନକୁ ଦେଖାଏ
ନାନାବାୟା ଗୀତ ଗାଇ ସେ ସୁଆଏ
ମଧୁର ତାହାରି ନାଆଁ,
ସିଏ ତ ଆମରି ମା'..................।
କାନି ପଣତରେ ଧୂଳି ଝାଡୁଥାଏ
ନ ଖାଇଲେ ଯିଏ ଖୁଆଇ ତ ଦିଏ
ବସ୍ତାନୀ ସଜାଡି ସ୍କୁଲକୁ ପଠାଏ
ଜ୍ଞାନର ଆଲୋକ ଯିଏ ତ ଦେଖାଏ
ମଧୁର ତାହାରି ନାଆଁ,
ସିଏ ତ ଆମରି ମା'..................।
ଅବାଟରେ ଗଲେ ଯିଏ ତ ବୁଝାଏ
ବାପା ଗାଳିଦେଲେ ଲୁହ ସେ ଗଡାଏ
ଅସୁସ୍ଥ ହୋଇଲେ ଔଷଧ ଖୁଆଏ
ନିଦ ଆସେ ନାହିଁ ରାତି ସାରା ଚିଏଁ
ମଧୁର ତାହାରି ନାଆଁ,
ସିଏ ତ ଆମରି ମା'...................।
ଝୁଣ୍ଟିଗଲେ ଆମେ ଆଘାତ ସେ ପାଏ
କୋଳେ ଟାଣିନେଇ ଆଉଁସି ସେ ଦିଏ
ଯେତେ ବଡ ହେଲେ ଛୁଆ ଭାବୁଥାଏ
ପେଟ ଭୋକ ଆଉ ମନ ଜାଣିଥାଏ
ମଧୁର ତାହାରି ନାଆଁ,
ସିଏ ତ ଆମରି ମା'...................।
ଖରାରୁ ଆସିଲେ ସ୍ବେଦ ପୋଛୁଥାଏ
ଆମ ପାଇଁ ଦିନ ରାତି ଖଟୁ ଥାଏ
ଜୀବନରେ ତା'ର ବିଶ୍ରାମ ନ ଥାଏ
ଭବିଷ୍ୟତ ଚିନ୍ତା ସିଏ କରୁଥାଏ
ମଧୁର ତାହାରି ନାଆଁ,
ସିଏ ତ ଆମରି ମା'...........…....।
ଯା' ହାତର ସ୍ପର୍ଷ ସ୍ୱର୍ଗ ସୁଖ ଦିଏ
ଆଉଁସି ଦେଲେ ସେ କ୍ଳାନ୍ତି ଦୂର ହୁଏ
ଆମ ଖୁସି ଦେଖି ଯିଏ ଖୁସି ହୁଏ
ଆମ ହସ ଦେଖି ସିଏ ହସୁଥାଏ
ମଧୁର ତାହାରି ନାଆଁ,
ସିଏ ତ ଆମରି ମା'.................।
ଅଳି ଅଝଟ ସେ ସବୁ ମାନି ନିଏ
ହାତ ଧରି ସିଏ ବାଟ ତ ଚଲାଏ
ବସୁଧା ପରି ସେ ସବୁ ସହିଯାଏ
ଶୁଭ ମନାସୀ ସେ ଦୀପ ଜାଳୁଥାଏ
ଅମୃତ ଟି ତାର ନାଆଁ,
ସିଏ ତ ଆମରି ମା'.................।।
