ମାଆ ର ପଣତ ମୋ ପାଇଁ କି ନେତ
ମାଆ ର ପଣତ ମୋ ପାଇଁ କି ନେତ
ମାଆର ପଣତ ମୋ ପାଇଁ କି ନେତ
ମାଆ ହାତରନ୍ଧା ମୋ ପାଇଁ ଅମୃତ |୧|
ମାଆ ର କୋଳ ତ ମୋ ପାଇଁ ଝୁଲଣା
ମାଆ କୋଳେ ଥିଲେ ସୁଖ ଲାଗେ ସିନା |୨|
ମୋ ମାଆ ର ହାତ ମଥା ପରେ ଥିଲେ
ସବୁ କାର୍ଯ୍ୟ ମୋର ସିଦ୍ଧି ହୁଏ ଭଲେ |୩|
ମନେ ପଡେ ଆଜି ପିଲା ଦିନ କଥା
ମାଆ ର କୋଳ ରେ ରଖୁଥିଲି ମଥା |୪|
ପଣତ କାନିରେ ମୁହଁ ପୋଛି ଦେଇ
ମୋ ମାଆ କୋଳରେ ଦିଏ ସେ ଶୁଆଇ |୫|
କହୁଥିଲି ମାଆ ଖାଇ ନାହିଁ ମୁହିଁ
ଭୋକ ଲାଗିଲାଣି ଦିଅ ମା ଖୁଆଇ |୬|
ହସି ହସି ମାଆ ଖାଇବାକୁ ଦିଏ
ଲାଗଇ ସତେକି ଅମୃତ ପରାୟେ |୭|
କେତେ କେତେ ଅଳି ସହିଛି ମୋ ମାଆ
ମାଆ ସମ କିଏ ଅଛି ଏ ଦୁନିଆ |୮|
ମାଆ ଆଶୀର୍ବାଦ ଅଛି ମୋ ମଥାରେ
ନାହିଁ କିଛି ଭୟ ଏ ସାରା ସଂସାରେ |୯|
ମାଆ ହାତ ଧରି ବାଟ ମୁଁ ଚାଲିଛି
ତା କାଖରେ ଥାଇ ଜହ୍ନ କୁ ଡାକିଛି |୧୦|
ମାଆ ର ଡାକରେ ଝରିପଡ଼େ ମହୁ
ସବୁଠାରୁ ଭଲ ଅଟେ ମୋର ବୋଉ |୧୧|
ଘର ଟି ମୋହର ଅଟେ ଶ୍ରୀମନ୍ଦିର
ସେ ଘରେ ଅଛନ୍ତି ଚଳନ୍ତି ଠାକୁର |୧୨|
ପିତା ମୋ ଅଟନ୍ତି ସ୍ୱୟଂ ଜଗନ୍ନାଥ
ଲକ୍ଷ୍ମୀ ସ୍ୱରୂପିଣୀ ମାଆ ବିରାଜିତ |୧୩|
ସେହି ମନ୍ଦିର ରେ ସେବକ ମୁଁ ଜଣେ
ସେବା ମୋର ଧର୍ମ ତାଙ୍କରି ଚରଣେ |୧୪|
ମାଆ ର ତ୍ୟାଗ ର ତୁଳନା ଯେ ନାହିଁ
ମାଆ ପରି ଆଉ କେହି ହେବେ ନାହିଁ |୧୫|
ମାଆ ବୋଲି ତାକୁ ଡାକି ଦେଲେ ଥରେ
ଦଉଡି ଆସେ ସେ ଅଥୟ ଚିତ୍ତରେ |୧୬|
ପଣତ କାନିରେ ଝାଳ ପୋଛି ଦେଇ
ନିଜର କୋଳକୁ ନିଏ ଆଉ ଜାଇ |୧୭|
ସ୍ନେହ ମମତାର ମୂର୍ତ୍ତିମନ୍ତ ଦେବୀ
ତା ତ୍ୟାଗ ପ୍ରେମର କି ଉପମା ଦେବି |୧୮|
ମାଆ ର ପାଦରେ କୋଟି ଦଣ୍ଡବତ
ଆଶିଷ ବରଷା କର ଆହେ ମାତ |୧୯|
