ଶୀତ ଆମର ମିତ
ଶୀତ ଆମର ମିତ
ଗଦାହୁଏ ଯେବେ ସାଲ୍ ,ସ୍ୱେଟର ଶୋଇବା ଘର ମେଜରେ;
ଶୀତରାଣୀ ଠିଆ ନିଶ୍ଚେ ଦୁଆରେ ,
କ୍ଷୀଣ ହୁଏ ଶବ୍ଦ ବିଜୁଳି ପଙ୍ଖାର ,ନିସ୍ତବ୍ଧତା ଧିରେ ଧିରେ
ବ୍ୟାପିଯାଏ ଘରେ ଓ ବାହାରେ ।
ସ୍କୁଲ ବାହାରିବାକୁ ବି ବାଡ ପଡିଯାଏ ମେଧାବୀ ଇଛାରେ
ସକାଳୁ ଶେଯ ଛାଡିବାରେ ,
ସଞ୍ଜ ସକାଳେ ଚା'କପ୍-ର ବରାଦ ଧୀରେ ଧୀରେ
ବଢି ଚାଲେ ରୋଷେଇ ଘରେ
ମସିଣା ଖଟୁଲିରେ ଭିଡଜମେ ଅଗଣା କୋଣର ନରମ
ଖରାରେ , ଚା' ଜଳଖିଆ ସାଙ୍ଗରେ ।
ହାଣ୍ଡିଶାଳ ଆଡେ ଟାଣି ହେଇ ଯାଆନ୍ତି ସମସ୍ତ ସାନରୁ ବଡ
ଚାରୁ ,କାଞ୍ଜିର ବାସନାରେ ,
ଗୃହିଣୀଙ୍କ ଚଞ୍ଚଳତା ଦେଖାଯାଏ ପ୍ରସ୍ତୁତ ବଡି , ପାମ୍ପଡ
ଶୁଖେଇବାକୁ ଦିପହର କିରଣରେ ,
ମାଟି ମାଠିଆ, ସୁରେଇ ଅଲୋଡା ହୋଇ ଧୂଳି ପଡିରହିଯାଏ
ରୋଷେଇ କଣ ଘର ଥାକରେ ।
ଶିରିଶିରି ପବନ ଡରାଏ କାଲୁଆ ଶିହରଣରେ
କବାଟ ତଳ ଫାଙ୍କରେ ,
ପାଦ ଯୋଡିକ କେଜାଣି କେତେବେଳେ ଟେକି ହୋଇ
ଜାକି ହେଇଯାଏ ଚୌକି, ସୋଫାରେ ,
ପିଲାଠୁ ବୟସ୍କ ଛନ୍ଦି ହୋଇଯାନ୍ତି ନିଦରାଣୀ ବନ୍ଧନରେ
ଉଷୁମ ରେଜେଇ ଭିତରେ ,
ଥଣ୍ଡାର ପ୍ରକୋପ ବୃଦ୍ଧି ସାଙ୍ଗେ ଶୀତ - ପ୍ରସାଧନ ବ୍ୟବହାର
ହୁଏ ଶୁଷ୍କ ଚେହେରା ତ୍ୱଚାରେ ।
ରାତିରେ ଆରାମ ଦିଏ ଟୁକୁରା କାଠ ଜାଳି ନିଆଁ ପୁଇଁବା
ବସି ମଝି ଅଗଣାରେ ,
ଜଣାପଡେନି କେବେ ଥୁଣ୍ଟା ହୋଇଯାଏ ପାଚେରି କଡ ଟଗର,
ତରାଟ ଗଛ ପତ୍ରଝଡାରେ ,
ଡାଲିଆ, ଗେଣ୍ଡୁ, ଗୋଲାପ ,ରଙ୍ଗ ଭରି ମହକି ଉଠେ
ଦାଣ୍ଡ ଅଗଣାର ମାଟି କୁଣ୍ଡରେ,
ସଂଧ୍ୟାର ଶୀତୁଆ ବାଆ ମନେ ଭରିଦିଏ ତୃପ୍ତି ହେନା,ଚମ୍ପା,
ଗଙ୍ଗଶିଉଳିର ମିଠା ମହକରେ,
ପିଜୁଳି ,ଆତ ,ଆଖୁ ଖାଇବା ମଜାଟା ଏଇ ଶୀତ ଦିନରେ
ଭାରି ନିଆରା ସତରେ ,
ପେଟ ପୁରିଲେ ବି ମନ ପୁରେନା ପ୍ରଥମାଷ୍ଟମୀର ହଳଦି
ପତରଦିଆ ଏଣ୍ଡୁରି ପିଠାରେ ,
ଆହୁରି ମନ ଲୋଭେଇଯାଏ ମଣ୍ଡା ,ବରା,ଚକୁଳି, କାକରା
ଦେଖି ମଗୁଶିର ଗୁରୁବାରରେ ।
ପାର୍ବଣ୍ୟ ଋତୁର ପିଠାପଣା ,ରାବଣ ପୋଡି,ଆକାଶଦୀପ,
ଆତସବାଜି ଛାପ ଛାଡିଯାଏ ହୃଦରେ ।
ଚଷାର ମନ ଧନ ପୁରିଉଠେ ଯେବେ ସୁନେଲି ଧାନକ୍ଷେତ
ଚମକୁ ଥାଏ ଶୀତରାଣୀର ସ୍ପର୍ଶରେ ,
ସବୁଜ ଘାସରେ କୁନିକୁନି ପାଦ ଦିଓଟି ଗୋଡେଇ ଯାଏ
ଟିକିଟିକି ପ୍ରଜାପତି ପଛରେ ।
ବନ୍ଧୁବାନ୍ଧବ ଭିଡ ,ଖିରି ପୁରି, ଖେଚୁଡି, ଆମ୍ବିଳ, ମନ ହଜେଇ
ଦିଏ ନୂଆଖାଇ ପର୍ବରେ ,
ଶୀତ ଉପୁଜାଇ କୋବି, ମଟର, ପାଳଙ୍ଗ; ସବୁଜ ପରିବା
ସ୍ୱାଦ ଭରି ଦିଏ ଅତୃପ୍ତ ତୁଣ୍ଡରେ ।
ଆକର୍ଷଣୀୟ ପର୍ଯ୍ୟଟନର ଆନନ୍ଦ ଭେଦ କରିଯାଏ
ମରମେ ଶୀତରାଣୀର ଉପସ୍ଥିତିରେ ,
ବରଷଯାକର ଅଦେଖା ଅକୁହା କ୍ଷତ ଅଜାଣତେ ଶୁଖିଯାଏ
ଏଇ ବୁଲାବୁଲି ଋତୁରେ ।
ଶୀତ ହିଁ ତ ସ୍ୱାସ୍ଥ୍ୟର ପ୍ରକୃତ ମିତ ଏଇ ଗ୍ରୀଷ୍ମ ପ୍ରଧାନ
ଆମ ଭାରତ ବର୍ଷରେ।
ମନେ ପଡେ ସେ ଜାଡୁଆ ଖରା ପୁଇଁବା ,ପ୍ରାତଃ ଭ୍ରମଣରେ
ସାଙ୍ଗ ଖୋଜିବା, ଗ୍ରୀଷ୍ମର ଅସହ୍ୟ ଝାଞ୍ଜିରେ ।
