ଶିବଙ୍କ ମର୍ତ୍ତ୍ୟପୁର ଟୁର୍
ଶିବଙ୍କ ମର୍ତ୍ତ୍ୟପୁର ଟୁର୍
ଶିବଙ୍କ ପି.ଏ.ଷଣ୍ଢଟିଏ ଯିଏ
ନାମଟି ତା'ର ନନ୍ଦୀ,
ଭୋଳା ବାବାଙ୍କ ଚରଣେ ତା'ର
ମନ ସର୍ବଦା ବନ୍ଦୀ।
ପ୍ରଭୁଙ୍କ ପଦେ ସେ ଯୋଡ ହସ୍ତେ
ଗୁହାରୀ ଜଣାଇଲା,
ଜାଗରଯାତ୍ରା ଆଜି ହେ ପ୍ରଭୁ
ମର୍ତ୍ତ୍ୟକୁ ଟୁର୍ ଥିଲା।
ପ୍ରଭୁ ବସିଲେ ଷଣ୍ଢ ପିଠିରେ
ମର୍ତ୍ତ୍ୟେ ବିରାଜ କଲେ,
ଛଦ୍ମବେଶଟି ଧରିଲେ ଲୁଙ୍ଗି
କୁରୁତା ପିନ୍ଧି ଦେଲେ।
ଶିବ ଚାଲିଲେ ଷଣ୍ଢ ବେକର
ପଘାକୁ ହାତେ ଧରି,
ପୁଣି ବଜ୍ରଙ୍ଗଦଳ ଟୋକାଙ୍କ
ହାବୁଡେ ଗଲେ ପଡ଼ି।
ଷଣ୍ଢବେପାରୀ ଦେଖ ଯାଉଛି
ଧର ହେ ଛେଚି ଦେବା,
ତା' ଝୁଲାମୁଣି ଚେଏକ୍ କରି
ରସିରେ ବାନ୍ଧିଦେବା।
ଏକଥା ଶୁଣି ଷଣ୍ଢ କହୁଛି
ଆଉ ତ ରକ୍ଷା ନାହିଁ,
ଯେବେ ଆସିଲି ଆପଣଙ୍କର
ସାଥେ ଭୋଗିଲି ମୁହିଁ।
ମାଡ଼ ଭୟରେ ଷଣ୍ଢ ସହିତେ
ପ୍ରଭୁ ଅଦୃଶ୍ୟ ହେଲେ,
ଶୂନ୍ୟରେ ରହି ଅନ୍ୟ ଉପାୟ
ସେଠାରେ ପଞ୍ଚାଇଲେ।
କହିଲେ ନିଜ ବେଶ ଧରିବା
ଭକ୍ତଙ୍କୁ ଦେଖାଦେବା,
ଜାଗର ବୁଲି ପ୍ରତି ମନ୍ଦିରେ
ପ୍ରେଷ୍ଟିଜ୍ ପାଉଥିବା।
ମୁଣ୍ଡରେ ଜଟା ଗଳାରେ ସର୍ପ
ହସ୍ତେ ତ୍ରିଶୂଳ ଶୋହେ,
ନନ୍ଦୀ ରୂପରେ ଷଣ୍ଢଟି ଶିବ
ସହିତେ ବୁଲୁଥାଏ।
ଦଳେ ଗଞ୍ଜୋଡ ହୋଇଣ ମେଳ
ଗଞ୍ଜେଇ ଟାଣୁଥିଲେ,
ଷଣ୍ଢ ସହିତେ ଶିବଙ୍କୁ ଦେଖି
ଆନନ୍ଦ ହୋଇଗଲେ।
କହିଲେ ଭାଇ ଶିବ ଗେଟପେ
ବଢ଼ିଆ ମାନୁଅଛ,
ଏ ଚିତ୍ରାଳୟ କେତେଟଙ୍କାରେ
କୋଉଠୁ ଆଣିଅଛ?
ଭୋଳା ଶଙ୍କର କ୍ରୋଧେ କମ୍ପିଲେ
ମୁଁ ପରା ମହାଦେବ,
ମୋତେ ତୁ ମୂର୍ଖ ଚିହ୍ନିପାରୁନୁ
ଦେଖାଉଅଛୁ ଦମ୍ଭ !
ଏକଥା ଶୁଣି ମଦୁଆଟିଏ
ଦୋହଲି ଆସିଗଲା,
ପ୍ରଭୁଙ୍କ ପରେ ଦୋଓଅକ୍ଷରୀ
ଗାଳି ବରଷାକଲା।
କହେ ଗଞ୍ଜେଇ ଟାଣ ହେ ଭାଇ
ମଦ ପଛକେ ପିଅ,
କାହିଁ ମିଛରେ ଶିବ ବୋଲି ହେ
ନିଜକୁ କହୁଥାଅ ?
ଏକଥା ଶୁଣି ନନ୍ଦୀ କହୁଛି
ମରତପୁର ଏହି,
ପଥର ଲିଙ୍ଗେ ଭକତି ଭାରି
ପ୍ରକୃତ ଶିବେ ନାହିଁ।
ବାପାମାଆଙ୍କୁ ଗୁରୁଜନ କି
ଦେବତା ଭକ୍ତି ନାହିଁ,
କେବଳ ଲୋକ ଦେଖେଇ ହୋନ୍ତି
ତାମସା ଭାବ ଏହି।
ବଢିଲା କୋପ ସହସ୍ର ସାପ
ଶିବ ବାହାର କଲେ,
ମୂର୍ଖ ଲୋକଙ୍କୁ ଶିକ୍ଷା ଦେବାକୁ
ଠାକୁର ମାୟା କଲେ।
ସର୍ପଙ୍କୁ ଦେଖି ଲୋକେ ଯେ ସେଠି
ଭୟେ ଚିତ୍କାର କଲେ,
ସଭିଏଁ ଆସି ମହାଦେବଙ୍କ
ପଦେ ଶରଣ ଗଲେ।
ପ୍ରଭୁଙ୍କ କୋପ ହୋଇଲା ଶାନ୍ତ
ଭକ୍ତଙ୍କୁ ବୁଝାଇଲେ,
ନିଶା ସେବନ ନିଅଇ ପ୍ରାଣ
ଜୀବନେ ଦୁଃଖ ମିଳେ।
ମୁଁ ମହାଦେବ କହୁଛି ଭାବ
ନିଶାରେ ପଡ଼ ନାହିଁ,
ଯଦି ପଡ଼ିବ ନିଶ୍ଚେ ମରିବ
ତ୍ରିବାର ସତ୍ୟ ହୋଇ।
ଭୋଳା ଶଙ୍କର ଗଞ୍ଜେଇ ନୁହେଁ
ଜ୍ଞାନ ଗଞ୍ଜେଇ ଖାଇ,
ସର୍ବଦା ଧ୍ୟାନେ ମଗ୍ନ ହୁଅନ୍ତି
ସୃଷ୍ଟି ଉଦ୍ଧାର ପାଇଁ।
ତେଣୁ ହେ ଭାଇ ମଦ ଗଞ୍ଜେଇ
ସେବନ କର ନାହିଁ,
ମୂର୍ଖ ଅପର୍ତ୍ତି କବିତା ଛଳେ
ଏ କଥା କହୁଥାଇ।