STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ହାତ

ହାତ

1 min
186

  (ରମ୍ୟ ରଚନା)

ହାତ ପାଇଁ ଭାତ ମିଳରେ ସଙ୍ଗାତ

  ସବୁ କାର୍ଯ୍ୟ କରେ ହାତ 

ଏହି ହାତ ଦାନ ଧର୍ମ କେବେ କରେ

  କେବେ ତ ଧରେ ବନ୍ଧୁକ ।


କେବେ ଏଇ ହାତ ଗୁରୁ ଗୁରୁଜନେ

  ବିନୟେ ପ୍ରଣାମ କରେ 

ଏହି ହାତ ପୁଣି କେବେ ସ୍ୱାର୍ଥ ପାଇଁ

  କାହାର କଲର ଧରେ।


ଏ ହାତ ଯାହାର ଯେତେ ଲମ୍ଵିଅଛି

  ପଲ୍ଲୀ ଠାରୁ ଦିଲ୍ଲୀ ଯାଏ 

ଅଧିକ ସମ୍ମାନ ପାଉଥାଏ ଆଜି

  ବଡ଼ଲୋକ ପଣେ ସିଏ।


ଉପରେ ମହଲେ ହାତ ଥିଲେ ଭାଇ

  କେଶ୍ ନିଶ୍ଚେ ଜିତିଯିବ 

ଉପର ମହଲେ ହାତ ଥିଲେ ଭାଇ

  ଚାକିରିଟା ମିଳିଯିବ।


ହାତ ସଙ୍ଗେ ହାତ ଯେବେ ମିଳିଯିବ

  ଶତ୍ରୁ ହେବ ପରାଜିତ 

ଏଇ ହାତ ପରେ ହାତ ରଖି ଆମେ

  ବସିଥିଲୁ ପରା ମିତ।


ବିବାହ ବନ୍ଧନେ ହାତେ ହାତ ବନ୍ଧା

  ଏ ବିଧି ବିଧାନ ମତ 

ସେଦିନୁଁ କାନ୍ଦୁଛି କୁନିବୋଉର ମୁଁ

  ଧରିଥିଲି ଯେବେ ହାତ। 


ମାଆର ହାତଟି ମମତାରେ ବୋଳା

  ସ୍ତ୍ରୀ ହାତେ ଥାଏ ଝାଡ଼ୁ 

ମଦୁଆ ହାତରେ ମଦ ବୋତଲଟି

  ପେଗ୍ ପେଗ୍ କରି ମାରୁ।


ମହାଜନ ହାତ ଟଙ୍କା ଗଣୁଥାଏ

  ଗରୀବ ପାତୁଛି ହାତ 

ବାସୁ ବୋଉ ହାତ ଶାଗ ଭଜା ଛୁଙ୍କ

  ସାହିରେ ଛୁଟେ ମହକ।


ଏହି ହାତ କେବେ କା' ଓଠ ଆଉଁସେ

  କା' ଗାଲେ ଚାପୁଡା ମାରେ 

ଏହି ହାତ ପୁଣି କବି ପ୍ରତିଭାର

  ଲେଖନୀ ଚାଳନା କରେ।


ହାତ ତୋଳେ ଫୁଲ ଦେବ ଉପାସନେ

  ହାତ ଟେକେ ଆଶୀର୍ବାଦ 

ପରହାତ ଟେକା ଭାତ ଦିଏ ନାହିଁ

  ଜୀବନେ କେବେ ଆନନ୍ଦ।


କା'ହାତ ପାପୁଲି ରେଖା ଟାଣ ଥାଏ

  କା' ଭାଗ୍ୟେ ଲେଖା କଷଣ 

ଏ ହାତର ପାପ ସେ ହାତ ନେଇନି

  ବିଚିତ୍ର ଏହି ଭିଆଣ।


ହାତଟି ଶରୀରେ ମୁଖ୍ୟ ଅଙ୍ଗଟିଏ

  ହାତ ନିଏ ହାତ ଦିଏ 

ହାତ ଗାତ ଖୋଳି ବୃକ୍ଷଟି ଲଗାଏ

  ମହତ କାର୍ଯ୍ୟରେ ସିଏ।


ହାତ ଅଛି ଯଦି ପର ପାଇଁ ଗାତ

  କେବେ ଭାଇ ଖୋଳ ନାହିଁ 

ସେ ଗାତରେ ନିଶ୍ଚେ ନିଜେ ତ ପଡ଼ିବ

  ବେଦର ଗାରଟି ଏହି।


ମାଆ ହାତ ରନ୍ଧା ଅମୃତ ସମାନ

  ମୁଣ୍ଡପରେ ବାପା ହାତ 

ଶେଷକୁ ନିଜର ଚାରିହାତ ଜାଗା

  କହେ ଅପର୍ତ୍ତି ମୂରୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy