STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଭଗାରୀ

ଭଗାରୀ

1 min
185

  (ରମ୍ୟ ରଚନା)

ନିଶାପ ବସିଛି ଗାଁ ଚାନ୍ଦିନୀରେ

  ଜମିଛି ଲୋକଙ୍କ ଭିଡ଼ 

ଭାଇ ଭାଇ ମଧ୍ୟେ ଲାଗିଛି ଝଗଡ଼ା

  ଭାଗବଣ୍ଟା ହୁଏ ଘର।


ଦୁଇହଳ ବଳଦକୁ ପାଞ୍ଚମାଣେ

  ସମ୍ପତ୍ତି ହୋଇଲା ବାଣ୍ଟ 

ଢ଼ିଙ୍କି ଚକି ଶୀଳ ବାକ୍ସ ଆଲମାରୀ

  ଆବର‌ ସିନ୍ଧୁକ ଖଟ।


ଧାନ ଦଶମାଣ ଦୁଇଭାଇ ମଧ୍ୟେ

  ଅଧାଅଧା ହୋଇଗଲା 

ମାଆ ବୁଢୀଟାକୁ କେମିତି ବାଣ୍ଟିବେ

  ସେ କଥା ପୁଣି ଉଠିଲା।


ତିରିଶ ଦିନିଆ ମାସଗୁଡାକରେ

  ବୁଢୀବାଣ୍ଟ ହୋଇଗଲା 

ଯେଉଁ ମାସ ଏକ ତିରିଶ ପଡ଼ିବ

  ସେଇଠି କଥା ରହିଲା।


ଭଦ୍ରଲୋକ ଯାହା ସମାଧାନ କଲେ

  ବଳିଲା ଲଣ୍ଠନଟିଏ 

ସାମାନ୍ୟ ଲଣ୍ଠନ ପାଇଁ ସେଠି ପୁଣି

  କଥା କଟାକଟି ହୁଏ।


କଥା ବଢ଼ିଗଲା ବାଡାପିଟା ହେଲା

  ମୁଣ୍ଡ ଫଟାଫଟି ହେଲା 

ଗାଁ ର ନିଶାପ ଥାନା ପୁଲିସରେ

  ପୁଣି ଯାଇ ପହଞ୍ଚିଲା।


ଏଇତ ଦୁନିଆଁ ସ୍ଵାର୍ଥ ଦିଆ ନିଆ

  ସାମାନ୍ୟ ସମ୍ପତ୍ତି ପାଇଁ 

ଭାଇ ତଣ୍ଟି ଭାଇ କାଟୁଅଛି ଏଠି

  ଅବଶ୍ୟ ଭଗାରୀ ହୋଇ।


ବିନାଯୁଦ୍ଧେ ସୂଚୀ ଅଗ୍ରେ ମେଦିନୀ ମୁଁ

  କେବେହେଲେ ଦେବିନାହିଁ 

ମହାଭାରତର କଥା ଏହା ସତ

  ଭଗାରୀ ସାଜୁଛି ଭାଇ।


ସବୁ କ୍ଷେତ୍ରେ ଏଠି ଭଗାରୀଙ୍କ ଭିଡ଼

  କେ ଶିରୀ କାର ଦେଖୁନି 

ଜଣେ ପ୍ରବଚକ ଅନ୍ୟ ବକ୍ତାଟିର

  କଥାକୁ ସହି ପାରୁନି।


ପାଲା ଗାୟକଙ୍କ‌ ଭଳି ଦେଖ ଏଠି

  ଭଗାରୀ ଭାବ ଉଠୁଛି 

 କାରୀଗରଟିଏ କାରୀଗର ପାଇଁ

  ଭଗାରୀ ଭାବ ରଖୁଛି।


ଗୋଟେ ଏରିଆରେ‌ ଷଣ୍ଢଟିଏ ଯେବେ

  ଅନ୍ୟ ଷଣ୍ଢଟିଏ ଦେଖେ 

ଭଗାରୀ ପଣରେ ଏ ଷଣ୍ଢ ଲଢେଇ

  ଦେଖ ଭାଇ ନିଜ ନେତ୍ରେ।


ଜାତିଆଗେ ହାତୀ ଯାଇ ତ ପାରେନା

  ସ୍ୱଜାତି ପର ହିଂସୁକ 

କବି ସମାଜରେ ଭଗାରୀ ଶବ୍ଦଟା

  ବେଶୀ ହୁଏ ଅନୁଭୂତ। ।


ଜଣେ ଯେବେ ଏଠି ପ୍ରଶଂସା ପାଉଛି

  ଅନ୍ୟ ଦେହେ ଯାଉନାହିଁ 

ପ୍ରେମ ପାଇଁ କିଏ ଭଗାରୀ ସାଜୁଛି

  କାମନା ପୂରଣ ପାଇଁ।


ପଡୋଶୀଟି ଯଦି ଆଗେଇ ଯାଉଛି

  ପଡୋଶୀ ଟାଣୁଛି ଗୋଡ 

ଠିକ୍ ଯେମିତି ଖାଳେଇ ଭିତରେ

  କଙ୍କଡ଼ାମାନଙ୍କ ଭିଡ଼।


ନେତାଟିଏ ଏଠି ନେତାର ଭଗାରୀ

  ନାରୀଟିଏ ନାରୀଟିର 

ପ୍ରେମିକାଟି ଏଠି ଭଗାରୀ ହୋଇକି

  ଭାଙ୍ଗୁଛି ସୁନା ସଂସାର।


ଭାଇ ଶବ୍ଦ ମାନେ ସମ୍ପର୍କର ଉତ୍ସ

 ଯେଉଁଠି ମାୟା ରହେନା 

ଭାଇ ଶବ୍ଦ ସଙ୍ଗେ ଭଗାରୀ ଶବ୍ଦଟି

  ଯୋଡିଲେ ଶୋଭା ପାଏନା।


ଯେତେ ଭାଇ ସେତେ ଘର କୁହାଯାଏ

  ସେତେ କନ୍ୟା ସେତେ ବର 

ଆଜିକା ବେଳରେ ଲୋକେ ଭାବୁଛନ୍ତି

  ଏହାକୁ ବେଦର ଗାର।


ଭାଇ କେବେ ଭାଇ ଭଗାରୀଟି ନୁହେଁ

  ଗୋଟିଏ ରକ୍ତ ସ୍ଵାକ୍ଷର 

ଗାଈ କ୍ଷୀର ପାଇଁ ଭାଇ ଯୁଦ୍ଧ ପାଇଁ

  କହନ୍ତି ପୁରୁଖା ନର।


ପଞ୍ଚୁପାଣ୍ଡବଠୁଁ ଶ୍ରୀରାମ ଭରତ

  ଯେଉଁ ଶିକ୍ଷା ଦେଇଛନ୍ତି 

ଭାଇ ଆଜି କିନ୍ତୁ ଏସବୁ ଭୁଲୁଛି

  ଭଗାରୀ ହୋଇଯାଉଛି।


ଭଗାରୀ ଶବ୍ଦକୁ ଦେଇ ଅପସରି

  ଯଦି କୋଳାକୋଳି‌ ହେବା 

ସଂସାରେ ସଦ୍ଭାବ ସ୍ଥାପନ ହୋଇବ

  ସୁଖରେ ଦିନ କାଟିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy