STORYMIRROR

Sudruma Panda

Romance

3  

Sudruma Panda

Romance

ଶେଷ ନିଦ ଯିବି ଶୋଇ

ଶେଷ ନିଦ ଯିବି ଶୋଇ

1 min
201


ଯେଉଁ ଦିନ ପ୍ରିୟ ତୁମ ହାତଧରି 

   ଛାଡିଲି ମୁଁ ବାପଘର,

ଅଗ୍ନିସାଖି ରଖି ହୋମମନ୍ତ୍ରେ ଭରି

   ଥିଲ ମୋ ମଥା ସିନ୍ଦୂର ।।


କେତେ ଯେ ବସନ୍ତ ଛୁଇଁ ବାହୁଡିଛି

   ବୋଳି ତାର ପ୍ରୀତି ରଙ୍ଗ,

ତୁମ ଅନୁରାଗେ ରଞ୍ଜିତ ହୋଇ

   ପୁଲକିଛି ମୋର ଅଙ୍ଗ ।


କେତେ ଝଡ ଝଞ୍ଜା କେତେ ବଇଶାଖୀ

   କାଟିଛେ ଏକାଠି ମିଶି,

ତୁମ ସଙ୍ଗତି ରେ ଯେତେ ସୁଖ ଦୁଃଖ

    ସହିଛି ମୁଁ ହସି ହସି ।


ଭିଜାଇ ଦେଇଛି କେତେ ଯେ ଶ୍ରାବଣ

    ଦୁହିଁଙ୍କର ତନୁ ମନ,

ଭାଙ୍ଗି ପଡିନି ମୁଁ କେବେ ହେଲେ ପ୍ରିୟ

    ପାଇ ତୁମ ଆଶ୍ୱାସନ ।


ତୁମରି ସେନେହ ତୁମରି ସରାଗ

   ଆହ୍ଲାଦିତ କରେ ମୋତେ

ତୁମ ସଙ୍ଗ ଥିଲେ କି କରିପାରିବ

   ସଂସାର ଯାତନା ଯେତେ ।


ସତ ଚେଷ୍ଟିତ  ରହି ଥାଅ ପ୍ରିୟ

  ମୋତେ ଖୁସି ଦେବା ପାଇଁ,

କହି ଦେଲେ ଥରେ ସରଗ ର ତାରା

    ତୋଳି ନେଇ ଆସ ଯାଇ ।


ମୋ ଖୁସି ନିମନ୍ତେ ନନ୍ଦନ ବନୁ

   ତୋଳି ଆଣି ପାରିଜାତ,

ନିଜ ହାତେ ମୋର ଗଭା କୁ ସଜାଇ

   ହୋଇଥାଅ ପୁଲକିତ ।


ବୟସ ଟା ସିନା ବଢ଼ି ଯାଇଅଛି

    କମିନି ଆମ ସରାଗ ,

ତୁମପାଇଁ ମୁଁ ତ ଚିର ଯଉବନା

  ମୋ ପାଇଁ ତୁମେ ଯୁବକ ।


ଆମ ପ୍ରେମେ ସଦା ବହୁଛି ମଳୟ

   ଦୁହିଁଙ୍କୁ ରଖି ସତେଜ,

ବୟସ ଛୁଇଁଛି ସତୁରୀ କୁ ହେଲେ

   ମନ ତ ଚିର ସବୁଜ ।


କିଛି ଲୋଡା ନାହିଁ ଜଗତ ନାଥଙ୍କୁ

    ଏତିକି ମାଗିବି ମୁହିଁ,

ତୁମ ହାତେ ପିନ୍ଧି ସୁହାଗ ସିନ୍ଦୂର

   ଶେଷ ନିଦ ଯିବି ଶୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance