STORYMIRROR

Sukadev Mahanta

Abstract Romance Inspirational

4  

Sukadev Mahanta

Abstract Romance Inspirational

ଶେଷ ବସନ୍ତର ଚିଠି

ଶେଷ ବସନ୍ତର ଚିଠି

1 min
234


ବସନ୍ତ ଦେଇଛି     ଚିଠିଟିଏ ଲେଖି

     ଟିକି ପକ୍ଷୀଟିର ହାତେ

ଦାରୁଣ ନିଦାଘ     ଛଡାଇ ନେଇଛି

   ପ୍ରୀତି ପୀୟୂଷ କେମନ୍ତେ॥

ଚଇତାଳି ଜଳେ   ନିଦାଘ ସନ୍ତାପେ

     ବସନ୍ତର କଥା ଭାବି

ଅତୀତ ବସନ୍ତ    ସ୍ମୃତିରେଖା ମନେ

     ଆଙ୍କିଦିଏ ରମ୍ୟ ଛବି॥

ସର୍ବ ତରୁ ଲତା   ନବ ପଲ୍ଲବରେ

    ହେଉଛନ୍ତି ପଲ୍ଲବିତ

ଦାରୁଣ ନିଦାଘ    ଦାଉ ସାଜିଅଛି

   ଜଳାଭାବେ ସନ୍ତାପିତ॥

ଆମ୍ରକୁଞ୍ଜେ ଆଗ   ଭଳି ଶୁଭୁନାହିଁ

    କୋଇଲିର କୁହୂ ଗୀତ

ଚଇତ ଗଭାରେ   ମଲ୍ଲୀର ଗଜରା

     ମହକରେ ମହକିତ ॥

ନିମ୍ବ ବୃକ୍ଷ ପଟୁ   ଭାସିଆସୁଅଛି

    ନିମ୍ବ ଫୁଲର ମହକ

ଭାବାନ୍ତର ସୃଷ୍ଟି   କରେ ବାର ବାର

    କୋଇଲିର କୁହୁ ଡାକ ॥

ଦୂର ତାଳବଣ    ଆକାଶେ ଚୁମ୍ବନ

    ଦେଇ କହୁଅଛି ଦେଖ

ତୋଳି ନେଇ ଖାଅ   ତାଳସଜ ଯେତେ

    ତୁମ ଇଛା ମୁତାବକ॥

ଖଜୁରୀ ଗଛରେ    ଝୁଲୁଅଛି ଦେଖ

    ମାଟିର ମାଠିଆ କେତେ

ଖଜୁରୀ ଗଛରୁ   ନିଃସୃତ ରସକୁ

   ତାଡି  କହି ଯାଚେ ମୋତେ॥

କୁନି ଝିଅଟିଏ     କସି ଆମ୍ବଟିଏ

    ଯାଚି କହୁଅଛି ମୋତେ

ଲୁଣ ଲଙ୍କାଗୁଣ୍ଡ   ମିଶାଇ ଖାଇଲେ

    ଜାଣିବ ତା ସ୍ବାଦ କେତେ॥

ଗାଆଁ ଦାଣ୍ଡେ ଦେଖ   ଦଣ୍ଡ ପାଟୁଆଙ୍କ

      ଦଣ୍ଡନାଚ  ମନହରେ

ସାଙ୍ଗସାଥି ମେଳେ   ବେଲପଣା ଖିଆ

      ଆନନ୍ଦ ଦିଏ ମନରେ॥

ଚଇତାଳି କାନ୍ଦେ    ନିଦାଘ ଜ୍ବାଳାରେ

     ମନେ ଦୁଃଖ ଅପ୍ରମିତ

ଗାଇପାରୁନାହିଁ     ନିଦାଘ ସନ୍ତାପେ

     ବସନ୍ତର ମଧୁଗୀତ॥

ଜଳାଧାର ଯେତେ    ଶୁଖି ଶୁଖି ଆସେ

    ଜଳକଷ୍ଟ ବଢିଚାଲେ

ନର ପଶୁ ପକ୍ଷୀ     କୀଟ ତରୁଲତା

    ଜଳାଭାବ ଭୋଗିଚାଲେ॥

କୃଷ୍ଣଚୂଡା ହସେ    ଲାଜେଇ ଲାଜେଇ

      ନାଲି ପଣତ ଭିତରୁ

ସୂରୁଯ ମୁଖୀର      କ୍ଷେତ ଦିଶୁଅଛି

       କି ହଳଦୀ ଗୁରୁଗୁରୁ!!

ମହୁଲ ଫୁଲର     ମଧୁ ବାସନାରେ

     ମତୁଆଲା କରୁ କରୁ

ଚୋରା ଚଇତାଳି    ଥିରି ଥିରି ହୋଇ

    ବହେ ଦକ୍ଷିଣ ଦିଗରୁ॥

ଚଇତାଳି ଦେହ     ତାତି ବଢିଲାଣି

    ନିଦାଘକୁ ଡର ତା'ର

ବସନ୍ତ ଲେଖିଛି    ତା ଶେଷ ଚିଠିରେ

      ବେଳ ହେଲା ବିଦାୟର ॥

 ଆମ୍ବ ପଣସର    ଆକାର ବଢିବା

     ସୂଚନା ତା ବିଦାୟର

ଶେଷ ବସନ୍ତର   ବାରତା ଆସିଛି

    ଆଗମନ ନିଦାଘର॥


Rate this content
Log in

Similar oriya poem from Abstract