ଶେଷ ଅନୁରୋଧ
ଶେଷ ଅନୁରୋଧ
ବିରହ ମନରେ ଭରା ଜୀବନ ସନ୍ଧ୍ୟାରେ
ଭାବନାରେ ବହିଯାଏ ସ୍ମୃତି ନଦୀ ଧାରେ,
ଢେଉ ଖେଳେ କିଛି ବ୍ୟଥା ହୃଦୟ ଭିତରେ
ଏ' ମନ ଅଡୁଆ କଥା ଲେଖେ କଲମରେ ।
ଖୋଜି ନାହିଁ ବରଗଛ ସୁଶୀତଳ ଛାଇ
କୁହୁଳା ଧୁଆଁର ମୁହଁ ନିରସ ଲାଗଇ ,
ଭିତରେ , ବାହାରେ ଖାଲି ଉଡୁଅଛି ଧୂଳି
ସତେ ଯେହ୍ନେ ନାଟକର ବିଦ୍ରୋହ ଖେଳାଳି ।
ଜୀବନଟା ଅଧା ଗଲା କୂପ ମଧ୍ୟେ ରହି
ସଂସାରର ଲମ୍ବା ପଥେ ନିଜକୁ ହଜେଇ ,
ଲୋଡ଼େ ଯେବେ ଆପଣାର ଆପଣା ମଙ୍ଗଳ
ଦୁନିଆରୁ ମିଳେ ମିଥ୍ୟା ଅପବାଦ ରୋଳ ।
ଉତ୍ସବରେ ଭାଇଚାରା ପ୍ରଦୂଷଣ ଘୋର
ଦେଖିଲି ଯା ' ଈର୍ଷା ନଳେ ଭାବ ତୋର ମୋର ,
ଆପଣାର ବୋଲି କହି ସଂକୀର୍ତ୍ତନ ଦଳ
ପେଇଥାନ୍ତି ମିଠା ମିଠା ବିଷାକ୍ତର ଜଳ ।
ଏଠି ଖାଲି ମୁଖା ପିନ୍ଧା ଦେଖାଣିଆ ପ୍ରୀତି
ହାଏରେ.. ମଣିଷ କେତେ ମିଛ ପ୍ରତିଶ୍ରୁତି ,
ଧର୍ମ, କର୍ମ, ଭକ୍ତି , ଉକ୍ତି ସବୁ ଦେଖାଣିଆ
ଛଳନା ଚାଦର ଢାଙ୍କି ଚାଲୁଛି ଦୁନିଆ ।
ଦେଖାଣିଆ ମନ ମଧ୍ୟେ ସନ୍ଦେହର ବିଷ
ପ୍ରକୃତ ସ୍ନେହ, ବନ୍ଧନ ଆଜି ଶହେ କୋଶ ,
ସଂସାରରେ ବଢିଚାଲେ ଶୋଷ ଆଉ ଭୋକ
ଜୀବନରେ ଥମିଯାଏ ଆଶାର ଆଲୋକ ।
ବାଟବଣା ହୋଇଗଲେ ମନ ଅନ୍ତରାଳେ
ନିଷ୍କପଟ ହୃଦୟଟେ ଖୋଜେ ଆଖି ତଳେ ,
ଦାନ୍ତ ଦେଖା ବଦଳରେ ଦାନ୍ତକୁ ଦେଖେଇ
ଦର୍ପଣଟା ଚିଡାଏ ମୋ ' ଅସ୍ତିତ୍ବକୁ ନେଇ ।
ଶେଷ ଅନୁରୋଧ ମୋର ବିଶ୍ୱ ବିଧାତାକୁ
ଶୀତଳ,ଆଲୋକ ଦିଅ ଅଶାନ୍ତ ମନକୁ ,
ମିଛ ଦୁନିଆରୁ ପ୍ରଭୁ ମୁକ୍ତି ଦିଅ ମତେ
ପୁନର୍ଜନ୍ମ ଦେବ ନାହିଁ ଆଉ ଏ ' ଜଗତେ ।