ଶେଫାଳିର ଅଭିସାର
ଶେଫାଳିର ଅଭିସାର
ସୂରୁଯଠୁ ଲୁଚି ଆସିଥିଲି ଦେହେ
ନବ ଯଉବନା ତାତି
ବାସନା ବାସର କାମନା ମନରେ
ବାସର ରାତିର ରତି ାା
ରାତ୍ରୀରେ ଗୋପନେ ଆସିଥିଲି ମୁହିଁ
ଅନୁପମା ରୂପ ଧରି
ସଜେଇ ହୋଇ ମୋ ବାସର ରାତିର
ରାସେ ପାହେ ବିଭାବରି||
ଶୁଭ୍ର ଜୋଛନାରେ ଖିଲି ଖିଲି ହସେ
ପିଇ ପ୍ରୀତିର ପୀୟୂଷ
ଶୀତଳ ପବନ ରଚେ ଶିହରଣ
ଦେହେ ମୋର ପ୍ରୀତି ସ୍ପର୍ଶ ||
ସମଗ୍ର ଯାମିନୀ ରତି ମତୁଆଲୀ
ରାସର ରସରେ ରସି
କୁଆଁତାରା ଦେଖି ଜହ୍ନ ଫେରାବାଟ
ବରିନେଲା ହସି ହସି||
ଉଷା ଦେବୀ ଆସେ ପୂରୁବ ଦିଗରୁ
କପାଳେ ସିନ୍ଦୂର ବୋଳି
ଦିନନାଥ ଆଖି ପଡନ୍ତେ ସରମି
ଭୂତଳେ ପଡିଲି ଝଳି ||
ବିଦଗ୍ଧା ଶେଫାଳୀ ଶରତ ରାତିରେ
ଆସି ଅଭିସାରେ ମୁହିଁ
ଗୋଟିଏ ରାତିରେ କୋଟିଏ ସପନ
ପୂରଣ କରିବା ପାଇଁ ||
ବହୁତ ଦିନର ବିଦଗ୍ଧ ପ୍ରାଣେ ମୁଁ
ଦୁର୍ବାର କାମନା ନେଇ
ରୂପ ବୈଭବରେ ଆସିଥିଲି କାହା
କ୍ଷଣିକ ଆଶିଷ ପାଇ !!
କୋଟିଏ ସପନ ଗୋଟିଏ ରାତିରେ
ହୁଏ କି କେବେ ପୂରଣ ?
ଉଷାର ଆଲୋକ ଦେଖିଣ ଭୂତଳେ
ଲୋଟଇ ବିଦଗ୍ଧ ପ୍ରାଣ ||

