ଶାଶୁଘର
ଶାଶୁଘର
ବାପଘର ହେବ ପର ଝିଅ ଯିବ ଶାଶୁଘର
ପର କରି ଦେଲା ସେଇ ଟୋପାଏ ମଥାସିନ୍ଦୂର।
ଶାଶୁଘରେ ହେବ ବୋହୂ ବାପଘର ଥିଲା ଝିଅ
ଆପଣାର କରିବାକୁ ହେବ ତାକୁ ନୂଆ ମୁହଁ।
ଖିଲି ଖିଲି ହସୁଥିଲା ବାପଘରେ ଯେଉଁ ଝିଅ
ଶାଶୁଘରେ ଧିରସ୍ବରେ କହିବ ସେ ପୋତି ମୁହଁ।
ଅଝଟିଆ ହେଉଥିଲା ବାପା ପାଖେ କରି ଅଳି
ଫୁଲେଇ ସେ କରୁଥିଲା ବୋଉ ସାଂଗେ କେତେ କଳି।
ରହିବାକୁ ହେବ ତାକୁ ମନକଥା ମନେ ମାରି
ଆଶା ଆଉ ସ୍ବପ୍ନ ସବୁ ଛାତି ତଳେ ଚାପି କରି।
ମାଆ ଗାଳି ଦାଣ୍ଡଧୂଳି ହସି ଦେଉଥିଲା ଶୁଣି
ପାନରୁ ଖସିଲେ ଚୂନ କାନ୍ଦୁଥିବ ନିନ୍ଦା ଶୁଣି।
ନିରିମାଖି ସୁକୁମାରୀ ପାରିବ ସେ ମନ କିଣି
ଯଦି କାମ କରୁଥିବ ସମସ୍ତଙ୍କ ମନ ଜାଣି।
ଶାଶୁ ଶ୍ବଶୁରଙ୍କୁ ନିତି କରୁଥିବ ମୋଡାଘଷା
ଦିନେ ଡେରି ହେଲେ ହେବାକୁ ପଡିବ ଲୋକହସା।
ସଠିକ ସମୟେ ରାନ୍ଧି ଦେଉଥିବ ଖାଇବାକୁ
ବିଳମ୍ବ ହୋଇଲେ ପଡେ କେତେ କଥା ଶୁଣିବାକୁ।
ନଣନ୍ଦ ଦିଅରେ ଯେବେ କରି ସେନେହ ଆଦର
ଭାଇଭଉଣୀଙ୍କ ପରି ସିଏ ଲାଗିବେ ନିଜର।
ବାପା ବୋଉ ଭାବିନେଲେ ଶାଶୁ ଶ୍ବଶୁରଙ୍କୁ ଭଲେ
ଆଶୀର୍ବାଦ ଲାଭ ହୁଏ ତାଙ୍କ ପାଦ ସେବା କଲେ।
ସବୁ ନିନ୍ଦା ଅପବାଦ ଶୁଣି ଯଦି ଚୁପ୍ ଥିବ
ଦୁନିଆରେ ଭଲ ବୋହୂ ସିଏ ଏକା ବୋଲାଇବ।
ଶାଶୁଘରେ କିଏ ପାଏ ସବୁ ସେନେହ ଆଦର
କିଏ ହୁଏ ନିଉଛାଳି ମିଳେ ଖାଲି ହତାଦର।
ଶାଶୁଘର ହୁଏ କେବେ କାହା ପାଇଁ ଯମପୁର
ଆଉ କାହା ପାଇଁ ପୁଣି ହେଇଯାଏ ସ୍ବର୍ଗପୁର।