ତୋର ରଥ ଯାତରାକୁ ନେଏରେ
ତୋର ରଥ ଯାତରାକୁ ନେଏରେ
ତୋର ରଥ ଯାତରାକୁ ନେଏରେ
ଥରେ ଛୁଇଁବାକୁ ରଥ ଦେଏରେ।
ବଳିଆ ପରିକା ଭକତ ନୁହେଁ ମୁଁ
ଆସିବୁ ତୁ ବାଲିରଥେ,
ଦାସିଆ ପରିକା ଭକତି ନାହିଁରେ
ନଡ଼ିଆ ନେବୁ ତୋ ହାତେ।
ଭକ୍ତି ଭାବ ମୁହିଁ ଜାଣିନାହିଁ ସିନା
ଜାଣିଛି ଖାଲି ମୁଁ ତତେ,
ମନ ମନ୍ଦିରରେ ବସେଇଛି ଆରେ
ପୂଜା କରେ ଜଗନ୍ନାଥେ।
କେବେ ନବୁ କହ ପୁରୀ ସହରେ
ତୋର ରଥ ଯାତରାକୁ ନେଏରେ
ଥରେ ଛୁଇଁବାକୁ ରଥ ଦେଏରେ।
ବନ୍ଧୁ ମହାନ୍ତି ମୁଁ ନୁହେଁରେ କାଳିଆ
ଖାଇବାକୁ ଦେବୁ ମତେ,
ପଡ଼ିବନି ତତେ ଛାଡ଼ି ଆସବାକୁ
ରତ୍ନ ସିଂହାସନ ସତେ।
ସାଲବେଗ ପରି ନାହିଁରେ ଭକତି
ଡ଼ାକିବି ମୁଁ କେଉଁମତେ,
କେମିତି ଲେଖିବି ତୋ ପାଇଁ ଗୀତ ମୁଁ
ନାହିଁ ମୋ ଯୋଗ୍ୟତା ସେତେ।
ଥରେ ଖାଲି ଦେଖା ଦେଇ ଦେଏରେ
ତୋର ରଥ ଯାତରାକୁ ନେଏରେ
ଥରେ ଛୁଇଁବାକୁ ରଥ ଦେଏରେ।
ବରଷକେ ଥରେ ଆସିଛି ଯାତରା
ବିଜେ ହେବୁ ନନ୍ଦିଘୋଷେ,
ଆଷାଢ଼ ଶୁକଳ ଦ୍ବିତୀୟା ତିଥିରେ
ଆସିଛୁ ଭକତ ପାଶେ।
କେତେ ଆଡ଼ୁ କାହିଁ ଆସୁଛନ୍ତି ଧାଇଁ
ଦେଖେ ତୋ ଭକତ କେତେ,
ଏଇ ମୋର ମନ ଭାରି ତ ଉଚ୍ଛନ୍ନ
ତୋ ପାଶେ ଯିବାକୁ ସତେ।
ଆଶା ମୋର ପୂରା କରି ଦେଏରେ
ତୋର ରଥ ଯାତରାକୁ ନେଏରେ
ଥରେ ଛୁଇଁବାକୁ ରଥ ଦେଏରେ।