STORYMIRROR

CHINMAYEE PRADHAN

Abstract Classics Inspirational

3  

CHINMAYEE PRADHAN

Abstract Classics Inspirational

ତୁମେ ଯଦି ରାଜି ହୁଅନ୍ତ

ତୁମେ ଯଦି ରାଜି ହୁଅନ୍ତ

1 min
207


ତୁମେ ଯଦି ରାଜି ହୁଅନ୍ତ ଗୋସେଇଁ

   କରନ୍ତି ଗୁହାରି ଏକ,

ଚକା ଚକା ଆଖି ବସିଛ ମେଲେଇ

   ଦିଶୁ ନାହିଁ ମୋର ଦୁଃଖ।


ବାପଘରେ ଥିଲି ଅଲିଅଳି ଝିଅ

   ଦିନ ଯାଏ ହସିଖେଳି,

ଶାଶୁଘରେ ପାଦ ଦେଲି ଯେବେଠାରୁ

   ବଞ୍ଚେ ନିତି ଜଳିଜଳି।


ସନ୍ତାନ ସୁଖ ମୋ ଭାଗ୍ୟରେ ଲେଖିନ

    କପାଳକୁ କଲ ଛୋଟ,

ମାତୃତ୍ଵେ ସାର୍ଥକ ନାରୀର ଜୀବନ

    ନ ପାଇ ମୁଁ ଛଟପଟ।


ଯଶୋଦା ଦେବକୀ ହେବାକୁ ଚାହେଁନି

   ସାଧାରଣ ନାରୀଟିଏ,

ପୁତ୍ର ରୂପେ ଖାଲି ଚାହେଁ ମୁଁ ତୁମକୁ

   ମାଆ ହେବି ଥରୁଟିଏ।


ସହି ହେଉ ନାହିଁ ଶାଶୁଙ୍କ ଗଞ୍ଜଣା

   ଶୁଣୁଥାଏ ନିତି କାନ,

ଅସହ୍ୟ ହେଉଛି ସ୍ଵାମୀଙ୍କ ଯାତନା

    ହୁଏ ଖାଲି ହୀନିମାନ।


ମାଗିବାକୁ କିଛି ଆସି ନାହିଁ ପ୍ରଭୁ

   ସୁନା ରୂପା ଧନ ରତ୍ନ,

ଥରେ ଖାଲି ମୋର କୋଳରେ ଜନମ

    ନେଇ କର କୋଳ ପୂର୍ଣ୍ଣ।


ରୁମୁକୁ ଝୁମୁକୁ ନାଚୁଥିବ ତୁମେ

   ବାନ୍ଧିବି ପାଦେ ଘୁଙ୍ଗୁର,

କଳା ଟୀକା ଦେଇ ବେଶ କରିଦେବି

   ଚୂଳେ ବାନ୍ଧି କେକୀ ପର।


ସର ଓ ଲବଣୀ ଖୁଆଇ ଦେବି ମୁଁ

   ଆଦରେ ଯତନ କରି,

କେତେ ପରକାର ମିଠା ପିଠା ପୁଣି

   ଖିରି ପୁରି ତରକାରୀ।


ଜହ୍ନମାମୁଁକୁ ଦେଖେଇ ଦେବି ମୁଁ

   ସଞ୍ଜ ହେଲେ କାଖ କରି,  

  

ଗୀତ ଗପ କହି ଶୁଆଇ ଦେବି ମୁଁ

    ରାଜାରାଣୀ ଶୁଆ ଶାରୀ।


ତୁମେ ଯଦି ରାଜି ହୁଅନ୍ତ ଠାକୁରେ

  ସୁଖରେ ବିତନ୍ତା ଦିନ,

କୋଳେ ହସୁଥିବ କଳାକହ୍ନେଇ ମୋ

  ଜୀବନ ହୁଅନ୍ତା ଧନ୍ୟ।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract