ଯୌଥ ପରିବାର
ଯୌଥ ପରିବାର
ଆଦିମ ଯୁଗରେ ଜନ ଅରଣ୍ୟ ରେ
କରୁଥିଲା ବିଚରଣ
ପରିବାର କ'ଣ, କ'ଣ ତା ମହତ୍ତ୍ଵ
ସେ ଏଥି ପ୍ରତି ଅଜ୍ଞାନ।।
ବୃକ୍ଷ କ୍ରୋଡ ଅବା ଗର୍ତ୍ତ ଗୁମ୍ଫା ମଧ୍ୟେ
କାଳ ତାର କଟୁଥିଲା
କ୍ଷୁଧା ର ବିକଳେ ଆପଣା ଜନଙ୍କୁ
ହତ୍ୟା କରି ଭକ୍ଷୁ ଥିଲା।।
ସୃଷ୍ଟି ବିବର୍ତ୍ତନ କାରଣେ ହୋଇଲା
ସମାଜ ଗଠନ ଭବେ
ପରିବାର ବାନ୍ଧି ବସତି ଗଢିଲେ
ସରିତ ତଟରେ ସର୍ବେ।।
ଯୌଥ ପରିବାର ସେ କାଳରେ ଥିଲା
ପିତା ପ୍ରପିତା ଙ୍କୁ ନେଇ
ଏକ ପରିବାରେ ସବୁରି ମନରେ
ପ୍ରେମ ଭାବ ଥିଲା ରହି।।
ପୁତ୍ର କନ୍ୟା ସହ ନାତି ନାତୁଣୀ ରେ
ହସି ଉଠୁଥିଲା ଘର
ପ୍ରଭାତେ ବନ୍ଦନ ବିଭୁ ଙ୍କ ଚରଣ
ସନ୍ଧ୍ୟା ରେ ଗଳ୍ପ ଆସର।।
ଜେଜେ ମା ପାଶେ ଗପ ଶୁଣୁଶୁଣୁ
ନିଦ ଆସୁଥିଲା ମାଡ଼ି
ହୁଁ ମାରୁଥିଲେ ସଭିଏଁ ଶ୍ରବଣେ
ମନ କୁ ମନରେ ଯୋଡ଼ି।।
ଆହାର ସମୟେ ଚଉତିରେ ବସି
ଏକାଠି ହରଷ ମନେ
ଅନ୍ନ ଓ ବ୍ୟଞ୍ଜନ ବାଢୁଥିଲା ମାଆ
ସନ୍ତୋଷ ସେ ସନ୍ତର୍ପଣେ।।
କି ଥିଲା ଏ ରାଜ୍ୟ ସଂସ୍କାର ସଂସ୍କୃତି
ବଦଳି ଗଲାଣି ଆଜି
ଯୌଥ ପରିବାର ମତାନ୍ତର ପାଇଁ
ଏକକ ରେ ହେଲା ଭାଜି।।
ଶିଶୁ କୁ ପାଠରେ ଚିହ୍ନାଯାଉ ଅଛି
ଜେଜେ ଜେଜେମାଆ କ'ଣ
ବଡ଼ ବାପା ବଡ଼ ବୋଉ ହଜି ଲେଣି
ସବୁ ହେଲେ ଭିନ୍ନ ଭିନ୍ନ।।
ଗୋଟିଏ ଆଳୟ ବିଭାଜିତ ହୋଇ
କୋଟିଏ ହେଲାଣି ଭାଇ
ଏପଟେ ରୋଷେଇ ମାଉଁସ ତିଅଣ
ଦାଦା ପୁଅ କାନ୍ଦୁଥାଇ।।
ଶରଧା ଆସେନା ଏକ କୁ ଆରେକ
ସମ୍ପର୍କରେ ସୃଷ୍ଟି ଫାଟ
ଅଣ୍ଟି ଛୁରୀ ଅଣ୍ଟି କାଟିଲାଣି କେବେ
ଯୌଥ ପରିବାର ନଷ୍ଟ।।