ଧରଣୀର କୋହ
ଧରଣୀର କୋହ
ତୁମେ ତ ମୋହର ଅତୀବ ନିଜର
ଶରୀର ତଳ କଲିଜା,
ଦେଖି ପାରୁନାହଁ ମୋର ଭିତରଟା
ତପତ ବାଲିରେ ଭଜା |୧|
ମୋ ସାରା ଶରୀର ଜଳିଯାଏ ସିନା
ବଇଶାଖ ଅଗନୀରେ,
ଆହୁରି ଅଧିକ ଜଳିପୋଡ଼ିଯାଏ
ତୋପ ବନ୍ଧୁକର ତାପରେ |୨|
ଗୋଟାଏ ପାଖରେ ମେରୁ ମରିଚୀକା
ବରଫ ପାହାଡ଼ ଦେଶ,
ଅପର ପାର୍ଶ୍ବରେ ମୃତ୍ୟୁର ଆତଙ୍କ
ମରଣର କଳାବେଶ |୩|
ଅନ୍ନ ପାଇଁ କିଏ କରେ ହାହାକାର
କିଏ ମରୁଥାଏ ଖାଇ,
ବିଚିତ୍ର ମୋ ଦେହ ହୃଦ ଫାଟିଯାଏ
ଯନ୍ତ୍ରଣାରେ ମରୁଛାଇ |୪|
ଅକୁହା ଯନ୍ତ୍ରଣା ଛଟପଟ ହୁଏ
ମୁଖରେ ମୋ ଭାଷା ନାହିଁ,
ଚକ୍ଷୁ ଲୋତକରେ ଚିବୁକ ଭିଜଇ
ପୋଛିବାକୁ କେହିନାହିଁ |୫|
ତେମେ ଜାଣୁଛ କି
ମୋ କୋହ ଯନ୍ତ୍ରଣା
ହୃଦୟର ମହାତାପ,
କହିଦିଅ ଥରେ ସବୁରି ମୁହଁରେ
ଧରଣୀ ହୃଦ ସନ୍ତାପ |୬|
ଲୁହା ଶିକୁଳିରେ ବନ୍ଧା ମୋର ହାତ
ଗୋଡ଼େ ପଡ଼ିଅଛି ବେଡ଼ି,
ଖୋଲି ଦିଅନ୍ତ ନି ମୋର ଏ ବନ୍ଧନ
ଖୋଲିଯାନ୍ତା ସୁଖ ପେଡ଼ି |୭|
ପ୍ରିୟା ପ୍ରୀତି ସୁଖ ସବୁରି ଆଖିରେ
ମାତା ସୁଖ ଦେଖନ୍ତି ନି !
ଯଦି ଦିଶୁଥିବ ନୀରବ ଦର୍ଶକ
ପଦେ କଥା କହନ୍ତି ନି |୮|
କୋହଭରା ମୋର ବିଦୀର୍ଣ୍ଣ ହୃଦୟ
ତୋପ ଗନ୍ଧେ ଜର୍ଜରିତ,
ଦେଖି ଶୁଣି ସବୁ ନୀରବ ସାଜିଛ
ତେମେ ହେବ ପ୍ରତାରିତ |୯|
ସୁନ୍ଦର ଧରଣୀ ସବୁଜ ଓଢ଼ଣୀ
ପାଲଟିବ ମରୁସ୍ଥାନ,
କୋହ ରୋକିବାକୁ ଆସରେ ତନୟ
ନ ହେଲେ ମୁଁ ହୀନିମାନ |୧୦|