ଫିକା ଆକାଶର ଛବି
ଫିକା ଆକାଶର ଛବି
କାହିଁକି ଲେଖିବି ଲୁହର କବିତା
କାହିଁକି ଢାଳିବି ଲହୁ
ଜୀବନରୁ ମୋର ବସନ୍ତ ହଜିଛି
ଶୁଭୁନି କୋଇଲି କୁହୁ I
ଲହୁ ଲୁହ ଯେତେ ଢାଳି ଦେଇଛି ମୁଁ
ଟିକେ ତୁମ ଖୁସି ପାଇଁ
ତୁମରି ଆଘାତେ ଦୀର୍ଘଶ୍ୱାସ ଭିନ୍ନ
ଆଉ କିଛି ପାଇନାହିଁ I
ଧୈର୍ଯ୍ୟର ପାହାଡ ଭାଙ୍ଗି ଭାଙ୍ଗି ଯାଏ
ଆକାଶ ଦିଶୁଛି ଫିକା
ଜାଣେନି କାହିଁକି ଦୁନିଆଁ ଦାଣ୍ଡରେ
ଲାଗେ ଭାରି ଏକା ଏକା I
ଘାରିଲାଣି ମୋତେ ପଥଚଲା କ୍ଳାନ୍ତି
ଅବସ ହେଲାଣି ପାଦ
ହଜିଲାଣି ସବୁ ମନର ହରଷ
ଘୋଟିଲାଣି ଅବସାଦ I
ତୁମରି ରାଗର ଝଡ ତୋଫାନରେ
ପଥର ଆଜି ମୋ ଛାତି
କେମିତି ବା ଆଉ ସେ ପଥର ଦେହେ
ଭରିବ ପ୍ରେମର ତାତି I
ତତଲା ମରୁରେ ନିଦାଘ ଝାଞ୍ଜିରେ
ହଜିଯାଏ ଜୀବସତ୍ତା
ତୁମେ କିନ୍ତୁ କଣ୍ଟା ସିଜୁଗଛ ପରି
ରହିଥାଅ ଟେକି ମଥା I