STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କାଳିଜାଇ

କାଳିଜାଇ

1 min
202

ଧୀରେ ଧୀରେ ନାଆ ଚଲାରେ ନାଉରୀ

ଝିଅକୁ ମୋ ଲାଗେ ଭାରି ଭୟ,

ଶାଶୁଘର କାହିଁ ସୁଦୂର ଗ୍ରାମରେ

ପାଣି ଦେଖି ତାର ମନ ଅଥୟ। 


ଘର ପାଇଟି ତା ମାଆ ଦିନେ କେବେ

କରାଇ ତାକୁ ଯେ ଦେଲାନାହିଁ,

କଅଁଳ ବୟଷେ ଯାଉଛି ସେ ଆଜି

ମନ କିନ୍ତୁ କେବେ ମାନେନାହିଁ। 


ନଦୀରେ ଗଣ୍ଡକୁ ଦେଖି ଡରୁଥିଲା

ନଦୀ ପରି ଆଜି ଯାଏ ବହି

ଏ କୂଳରୁ ଯାଇ ସେ କୂଳେ କିପରି

ରଚିବ ସଂସାର ଜାଣେନାହିଁ। 


କେଜାଣି କିପରି ଏ ସଂସାର ରୀତି

ଝିଅର ଠିକଣା ପରଘରେ,

ବାପା ମାଆ ଦୁହେଁ କଲିଜାକୁ ତାଙ୍କ

କିପରି ବା ପଠାଇବେ ଦୂରେ। 


ସାକ୍ଷୀ ଥାଅ ଅହେ ଉଚ୍ଚ ଶୈଳରାଜି

ଝିଅ ମୋ ଯାଉଛି ଶାଶୁଘର,

ଶୁଭାଶିଷ ତୁମ ଦିଅ ହେ ବରଷି

ଭବିଷ୍ୟ ତା ହେଉ ସୁଖକର। 


ମାମୁଁଭଣଜା ହେ ଚିହ୍ନି ରଖିଥାଅ

ଝିଅ ମୋର ସୁକୁମାରୀଟିଏ,

ଘଣ୍ଟଶିଳା ଘଣ୍ଟ ଘୋଡ଼ାଇ ରଖିବ

ଭାରି ଭକ୍ତିମତୀ କନ୍ୟାଟିଏ। 


ମନେ ଭାଳି ବସେ ସଖୀ ବାନ୍ଧବୀଙ୍କୁ

ମାଆର ପଣତ କାନି ଛୁଆଁ,

ନିତି ସାଥି ତାର ତା ଗ୍ରାମ ବନ ତୋଟା

ମନେ ପଡ଼େ ଭଗବତୀ ମାଆ। 


ଚିଲିକା ମଝିରେ ପାରିକୁଦ ବୋଲି

ଥିଲା କେଉଁ ଅବା ରାଜ୍ୟଟିଏ

'କି ଦେଖିଲ ବାପା ଘର ବର ଗ୍ରାମ

ଯାଚିଦେଲ କରି ସାଜଟିଏ।'  


'ଏମିତି ସମୁଦ୍ର ମଝିରେ ଫିଙ୍ଗିବା

ଯଦି ତୁମ ଥିଲା ଅଭିପ୍ରାୟ

ନ ଚିପିଲ କାହିଁ ଗଳାକୁ ମୋହର

ଏନ୍ତୁଡ଼ି ଶାଳାରେ ବାପା କୁହ।'


ଝିଅର ଆଖିରୁ ଲୁହ ପୋଛି ଦେଇ

ବାପା କହୁଥାନ୍ତି ମଧୁ ସ୍ୱରେ,

କି ବୁଦ୍ଧି କରିବି କର୍ତ୍ତବ୍ୟ କରିଛି

ଥିବ ତୋର ଯାହା କପାଳରେ। 


କେଜାଣି କିପରି ନାଆ ପଡ଼ିଗଲା

ଅକାତ କାତ ଗଣ୍ଡ ମଝିରେ,

ନାଉରୀ ବିଚରା ସ୍ଥିର ହୋଇଗଲା

ହଜିଗଲା ବୁଦ୍ଧି ସେ ଗଣ୍ଡରେ। 


କଳାମେଘ ଖଣ୍ଡେ ଘୋର ରଡି କରି

ଆସିଲା ସେ ଥିଲା କାହୁଁ ମାଡ଼ି,

ଏକା ପବନକେ ପାହାଡ଼ ଛାତିରେ

ପିଟି ଭାଙ୍ଗିଗଲା ଛତୁ ପରି। 


ମେଘ ଓ ପବନ ଫେରିଗଲେ ଖରେ

ପଡ଼ିଗଲା ଚାହୁଁ ଚାହୁଁ ଖରା,

ବାପା ପଚାରନ୍ତି କହରେ ନାଉରୀ

ଦିଶୁନାହିଁ ମୋର ଜାଈ ପରା। 


କାହିଁ କେତେ ଶହ ସହସ୍ର ବରଷ

କେତେ ପୁରାତନ କଥାଟିଏ,

ଆଜି ବି ଶିହରେ ଲୋମମୂଳ ତାର

ଶୁଣେ ଏ କାହାଣୀ ଥରେ ଯିଏ। 


ଆଉ ଅଘଟଣ ଘଟିନାହିଁ କେବେ

ସେ ଗଣ୍ଡରେ କେବେ ସେବେଠାରୁ

ସତେ କେହି ଜଣେ ସହାୟ ହୋଇଛି

ଶୁଣାଯାଏ ଲୋକଙ୍କ କଥାରୁ। 


ସେହି କାଳିଜାଇ ପ୍ରତ୍ୟକ୍ଷ ଦେବତୀ

ହୋଇ ପୂଜା ପା'ନ୍ତି ପାହାଡ଼ରେ,

ତା ନାମେ ନାମିତ ହୋଇ ସେ ପାହାଡ଼

ଧ୍ଵଜା ଉଡ଼ାଉଛି ଆନନ୍ଦରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract