ପୂର୍ଣ୍ଣମାସୀ ପରେ ଆସେ ଅମାବାସ୍ୟା
ପୂର୍ଣ୍ଣମାସୀ ପରେ ଆସେ ଅମାବାସ୍ୟା
ସ୍ୱଚ୍ଛ ଜଳ ବହିଯାଏ ଦୁଇ ଗଣ୍ଡ ଦେଇ
ଶୁଖାଇ ଯା ନ ପାରଇ ରବି
ଅଫୁରନ୍ତ ସ୍ରୋତସ୍ୱନୀ ଅଟେ ସେହି ଧାରା
ଚିର ସ୍ରୋତା ସେ ଦୟା ଭାର୍ଗବୀ l
ପ୍ରତିବିମ୍ବେ ଝଲସଇ ସୁଖ ଇନ୍ଦ୍ରଧନୁ
ତରଙ୍ଗିତ ସପ୍ତରଙ୍ଗ ଦେଇ
ଦୁଃଖର ଆଘାତ ଝରେ ଶ୍ରାବଣ ପ୍ଳାବନ
ସବୁକିଛି ନେବାରୁ ଭସାଇ l
ନିଭୃତ ଆକାଶେ ଥିଲା କୋଟିକୋଟି ତାରା
ଢାଳୁଥିଲା ଅମୃତର ଧାରା
ଖର ସୂର୍ଯ୍ୟାଲୋକ ହେଲା ତାରକା ବିରଳ
ତହୁଁ ଖାଲି ଝରିଲା ଗରଳ l
ଯା ଉପରେ ଲିପିଲାଣି ବରଷୁ ବରଷ <
/p>
କାଳ ଆସ୍ତରଣ ବାରମ୍ବାର
ପାରୁନି ଘୋଡାଇ ତାକୁ ମୋ ମନ ଆକାଶୁ
ବେଳୁ ବେଳ ବଢୁଛି ଅନ୍ଧାର l
ଜୀବନ ଆକାଶେ ଯଦି ଅମାବାସ୍ୟା ପରେ
ଉଇଁଥାନ୍ତା ଶରଦ ଚନ୍ଦ୍ରମା
ଆଲୋକ ଲିଭାଇ ଅନ୍ଧକାର ଘୋଟିଗଲା
ପୂର୍ଣ୍ଣମାସୀ ପରେ ଆସି ଅମାବାସ୍ୟା l
ଗଢ ପ୍ରଭୁ ଏହି ପ୍ରାଣ କଠିଣ ପାଷାଣେ
ଆଉ କିଛି ନ କରି ପ୍ରକାଶ
ଜାଣେ ସୁଖେ ମନଖୋଲି ନ ହସିବି ଆଉ
ଦୁଃଖେ ଆଉ ନ ତେଜି ନିଃଶ୍ୱାସ l