ତାରା
ତାରା
ତାରାଟିଏ ଯଦି ହୋଇଥାନ୍ତି ମୁହିଁ
ରହି ନୀଳ ଆକାଶରେ
ଚାନ୍ଦ ସାଥେ ନିତି ହସୁଥାନ୍ତି ଆହା
ସ୍ନିଗ୍ଧ ଶାନ୍ତ ରଜନୀରେ ।
ଚିକିମିକି ମୋର ସୁନେଲି ଜୋଛନା
ବିଛାଇ ଆନନ୍ଦ ହୋଇ
ଲୁଚକାଳି ଖେଳ ଖେଳୁଥାନ୍ତି ସତେ
ମେଘମାଳ ସାଥେ ମୁହିଁ ।
କବି ମୋତେ ନେଇ ପ୍ରେମିକା ମଥାରେ
ଟିକିଲିର ରୂପ ଦେଇ
ଲେଖନ୍ତେ କବିତା ରାତ୍ରି କୋଳେ ବସି
ଭାବନାରେ ମଜ୍ଜି ଯାଇ ।
ଗଗନ ସୌନ୍ଦର୍ଯ୍ୟ ବଢ଼ାଇ ଦିଅନ୍ତି
ତାରକା ଗହଣେ ଉଇଁ
ସୂରୁଜ କିରଣେ ବିଶ୍ରାମ ନିଅନ୍ତି
ରାତିର ପରଶ ପାଇଁ ।
ନାହିଁ ସେହି ଭାଗ୍ୟ ହେବି ମୁଁ ତାରକା
ପାଇବି ସେନେହ ପ୍ରେମ
ଧରିତ୍ରୀ ବକ୍ଷରେ ଦେଖୁଚି ସପନ
ସାର୍ଥକ ହେଉ ଏ ଜନ୍ମ ।