ମୁହୂର୍ତ୍ତକ ଖୁସି
ମୁହୂର୍ତ୍ତକ ଖୁସି
ମୁହୂର୍ତ୍ତକ ଖୁସି ପାଇଁ ବାଟବଣା ହେଲି କାହିଁ
ସବୁ ଜାଣି ହେଲି ଅଜଣା,
କାଦୁଅରେ ଗୋଡ ମୋର କାହିଁ ଦେଲି ମୁଁ ଖସେଇ
ହଜେଇଲି ମୋର ଠିକଣା।
ଚାଲୁଥିଲି ଏକା ଏକା ବାଟ ଥିଲା ପୁରା ଫାଙ୍କା
ଲକ୍ଷ୍ୟ ଥିଲା ଅଳପ ଦୂର,
କିଏ ସେହି ଅଗ୍ନିଶିଖା ଆସି କାହିଁ ଦେଲା ଦେଖା
ଟାଣିନେଲା ମନକୁ ମୋର।
ଦିଶୁଥିଲା ଜକଜକ ମନ ହେଲା ଦକଦକ
ଅଦ୍ଭୁତ ଆକର୍ଷଣ ଶକ୍ତି,
ମାନିନେଲି ତାକୁ ସୁଖ ଅନ୍ତ ହେଲା ଭାବି ଦୁଃଖ
ହଜେଇଦେଲି ମୋର ମତି।
ବାପା ମାଆ କରି ଦୂର ଛିନ୍ନ କରି ସ୍ନେହ ଡୋର
ପର କରି ଭଉଣୀ ଭାଇ,
ଉଜାଡ଼ିଲି ମୋ ସଂସାର ଭାବି ତାକୁ ମୋ ନିଜର
ବରବାଦ ତା ପଛେ ଧାଇଁ।
ପାଠେ ଡୋରି ବାନ୍ଧି ଦେଲି ତାକୁ ଯେବେ ପ୍ରେମକଲି
ଭୁଲି ଗଲି ନିଜକୁ ନିଜେ,
ଖାଇବା ପିଇବା ଭୁଲି ଖୋଜେ ଏଣେତେଣେ ବୁଲି
ଝୁରି ହେଲି ସକାଳ ସଞ୍ଜେ।
ସତ ନୁହେଁ ସ୍ବପ୍ନ ସିଏ ମରୀଚିକା ପାଣି ନୁହେଁ
ତୃଷ୍ଣା ମେଣ୍ଟାଇବ ବା କାହୁଁ,
ସତ ନୁହେଁ ମିଛ ସିଏ ପ୍ରତାରଣା ପ୍ରେମ ନୁହେଁ
ମାରିଦେଲା ଜୀବନ ଥାଉଁ।
ବରଷ ବରଷ ସ୍ନେହ ଚିହ୍ନା ଚିହ୍ନା ସବୁ ମୁହଁ
ଦିଶିଯାଏ ଆଖିରେ ସିନା,
ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ
ଚାହିଁଲେ ବି ଫେରି ପାରେନା।
କହୁଚି ସତ ମୁଁ ଆଜି ଅନୁଭବୀ ନିଜେ ସାଜି
ନ ଯାଅରେ ସପନେ ମଜି,
ମୁହୂର୍ତ୍ତକ ଖୁସି ଲାଗି ଜୀବନ ନ ଲାଗୁ ବାଜି
ଗହଳିରେ ନ ଯାଅ ହଜି।