କାଉ ର ରଙ୍ଗ
କାଉ ର ରଙ୍ଗ
ପ୍ରତ୍ୟେକ ଦିନ ସେ ବଂଚେ, ଅଳ୍ପ ଟିକେ ମରି।
ହସକୁ ବାଣ୍ଟିବା ପାଇଁ ତା' ପାଖରେ କେହି ନ ଥିଲେ।
ପିଲାମାନେ ବିଦେଶରେ ଘର ବସେଇ ସାରିଥିଲେ,
ନାତି ନାତୁଣୀ ମାନଙ୍କୁ ବଡ଼ ହେବାର ସେ ଦେଖି ସାରିଥିଲା,
କେବଳ ଫୋଟୋ ଆଲବମ୍ ରେ !
ତେଣୁ, ସେ’ ତାର ସାଇତା ସ୍ନେହକୁ
ଓଜାଡ଼ି ଦେଇଥିଲା ଏକ କାଉ ପରିବାରକୁ।
ରହୁଥିଲେ ସେମାନେ ଏକ ଗଛରେ,
ତା' ପଶ୍ଚିମ ମୁହାଁ ବନ୍ଦ ଗ୍ରିଲ୍ ର ସେପଟରେ।
ସବୁ ସକାଳେ ତାଙ୍କୁ ରାତିର ବଂଚେଇ ରଖିଥିବା ରୁଟି ଖାଇବାକୁ ଦେଉଥିଲା।
ତା' ଡାକ ଶୁଣି କାଉ ଓ ତାର ପରିବାର ବହୁତ ପାଖକୁ ଆସି ଖାଉଥିଲେ।
ସେ ସେମାନଙ୍କ ଥଣ୍ଟକୁ ଚାହୁଁଥିଲା, ତାଙ୍କ ପାଦର ନଖକୁ ଚାହୁଁଥିଲା।
ଓ ତାଙ୍କ ଦେହର ପରକୁ ବି ଦେଖୁଥିଲା ।
ସେ ଅନୁଭବ କରି ପାରୁ ଥିଲା, କିନ୍ତୁ ବୁଝି ପାରୁ ନଥିଲା !
କାଉର ରଙ୍ଗ କଣ -
ମେଟାଲିକ୍ ନୀଳ, କଳା, ପାଉଁଶିଆ ନା ଧୂଷୁରୀଆ କଳା।
ନିର୍ବାସନର ରଙ୍ଗ, ଏକାକୀପନ୍ ର ରଙ୍ଗ ।
ନା ତା' ଝର୍କାର ନୂଆ ପରଦାର ରଙ୍ଗ,
କିମ୍ବା ତା' ବାର୍ଦ୍ଧକ୍ୟ ଜୀବନର ରଙ୍ଗ।
ସେ ଜାଣେ ଏବଂ ଜାଣେ ନାହିଁ ମଧ୍ୟ,
କାଉ ପରର ରଙ୍ଗ।&nbs
p;
ତେଣୁ ଜାଣିବାଟା ସେ ପରିତ୍ୟାଗ କରି ସାରିଥିଲା।
ନିଜକୁ ସଜଡ଼ କରିବା ପାଇଁ ସେ ମାର୍କେଟ୍ କୁ ଯାଏ।
ଚାରି ପଟକୁ ଅନାଏ , ନିଜକୁ ଗହଳିଆ ଅନୁଭବ କରେ।
ନିଜ ସ୍ୱରକୁ ଶୁଣିବା ପାଇଁ, ସେ ଫୁଲକୋବି ମୁଲଚାଲ୍ କରେ।
ଛୋଟ ଛୋଟ ପିଲାଙ୍କୁ ଦେଖି, ଉଷୁମ୍ ହସ ଟିଏ ହସେ।
ସନ୍ଧ୍ୟାରେ, ସନ୍ଧ୍ୟା ପରି ସେ ନିଜ ଛାଇକୁ ଧରି ବସେ।
କୋଳରେ ତା'ର ଥାଏ -
ନିଜ ମଲା ଦିନ ମାନଙ୍କର ଓଜନିଆ ଫୋଟୋ ଆଲବମ୍।
ସେ ଅନୁଭବ କରେ,
ଘୋଷାଡ଼ି ହୋଇ ଆସିଥିବା ଜୀବନର କ୍ଳାନ୍ତିକୁ।
ଆଖିରେ କୁହୁଡିଆ ଲୁହ ଧରି,
ଧୂସର ପଡି ଆସିଥିବା ସ୍ୱପ୍ନ ମାନଙ୍କୁ ଦେଖେ।
ଭାବେ, ଦିନେ ନା ଦିନେ ଏହା
ନିଶ୍ଚୟ ସରିଯିବ , ବନ୍ଦ ହୋଇଯିବ ସବୁଦିନ ପାଇଁ ।
ମୃତ୍ୟୁର ନିଶ୍ଚିତତା, ତା’କୁ ସାହସ ଦିଏ,
ରୁଟି ପାଇଁ କିଚିନ୍ ପାଖକୁ ଯିବାକୁ ,
ଆଉ ଶୋଇବା ପାଇଁ ବେଡ଼୍ ଲାଇଟ୍ ଜଳାଇବାକୁ।
ସକାଳେ ତୁଳସୀ ଗଛରେ ପାଣି ଦେବାକୁ,
କାଉ ପରିବାରକୁ ରୁଟି ଦେବାକୁ,
ଆଉ ଗୋଟେ ଦିନ ବଂଚିବାକୁ।