ମାଆ ତାରିଣୀ
ମାଆ ତାରିଣୀ
ମନ୍ଦାର ମାଳିନୀ ମାଆଲୋ ତାରିଣୀ
ତୋ ପାଦେ ଶରଣ ଗଲି
ବିପଦ ଭଞ୍ଜନୀ ଆରତ ନାଶିନୀ
ତୋତେ ମାଆ ଭରସା କଲି ।
ଏତେ ବଡ ଏଇ ଦୁନିଆରେ ମାଲୋ
କେହି ମୋ ସାହାରା ନାହିଁ
ତୁ ମୋର ଆଶା ତୁ ମୋ ଭରସା
ଆଡେଇ ଦେବୁନି ତୁହି ।
ବହୁ ଦୂରୁ ମୁହିଁ ଆସିଅଛି ଧାଇଁ
ହାତ ତୁ ବଢେଇ ନେ ମାଆ କୋଳେଇ
ତୁ ମାଆ ଦୁଃଖ ହାରିଣୀ ।
ଜୟ ମାଆ ତାରିଣୀ ।
ତୁ ଯାହାକୁ ମାଆ ହେଉଲୋ ସଦୟ
ତାର ଭୟ କିଛି ନାହିଁ
ତୋର କୃପାବଳେ ମୁକଟିଏ ମାଲୋ
କଥା ଯେ ପାରଇ କହି ।
ତୋହରି ଆଶିଷେ ପଙ୍ଗୁଟିଏ ପୁଣି
ଲଙ୍ଘି ଯାଏ ପାରବାର
ତୁ ତ ଚାହିଁଲେ ମରୁ ଇଲାକାରେ
ଝରଇ ଶୀତଳ ଝର ।
ତୋହରି ଦୟାରେ ଅନ୍ଧ ପାଏ ଚକ୍ଷୁ
ଲଙ୍ଘି ଯାଏ ଗିରି ହେଉ ପଛେ ପଙ୍ଗୁ
ତୁ ମାଆ ଆଶା ତାରଣୀ ।
ଜୟ ମାଆ ତାରିଣୀ ।
କେତେ ଆଶା ନେଇ ତୋ ପାଖକୁ ମାଲୋ
ଆସିଅଛି ମୁହିଁ ଧାଇଁ
ଖାଲି ହାତେ ବୋଲି ମାଆଲୋ ତାରିଣୀ
ଦେବୁନି ମୋତେ ଫେରେଇ ।
ଯେ ଡାଳ ଧରିଲି ସେ ଡାଳ ଭାଙ୍ଗିଲା
କେହି ମୋର ସାହା ନାହିଁ
ନିନ୍ଦା ଅପବାଦ କଳଙ୍କ ଜୀବନ
ଦେଏନି ଆଉ ମାଆ ତୁହି ।
ରଖିଲେ ରଖିବୁ ମାରିଲେ ମାରିବୁ
ଯାହା ଇଚ୍ଛା ମାଆ ତାହା ତୁ କରିବୁ
ତୁ ବିପଦ ହାରିଣୀ ।
ଜୟ ମାଆ ତାରିଣୀ ।
ଦିଗ ହଜା ହେଇ ଘୂରି ବୁଲୁଛି ମା'
ନାହଁ ମୋ ଦେହେ ଶକତି
ଦେଇ ନାହିଁ ଭୋଗ କରି ନାହିଁ ପୂଜା
ନାହିଁ ମାଆ ମୋର ଭକତି ।
ଯଦି ନ ରଖିବୁ ତୁ ମାଆ ତାରିଣୀ
ନେଇ ଯା' ଜୀବନ ମୋର
ସହି ମୁଁ ପାରୁନି ଏ ଦୁଃଖ ଯନ୍ତ୍ରଣା
ବହିଯାଏ ଲହୁ ଧାର ।
କେମିତି ଜନନୀ ତୋ ଦେହ ସହୁଛି
ମୋ ଦୁଃଖ କେମିତି ତୋ ଆଖି ଦେଖୁଛି
ହେଲୁକି ମାଆ ଅନ୍ଧୁଣୀ ।