STORYMIRROR

Madhabi Patel

Children

4  

Madhabi Patel

Children

ସେଇ ମୋର ଗାଆଁ

ସେଇ ମୋର ଗାଆଁ

1 min
302

ଛୋଟ ମୋରଗାଆଁ ମୋ ପାଇଁ ବଢିଆ

ସରଗ ତା ଧୂଳିମାଟି

ସେଇଠି ଜନମ ଷଠୀଘର ମୋର

ଜଳିବ ଯୁଇ ସେଇଠି ।

ତାହାରି ପବନ ଶ୍ବାସ ପ୍ରଶ୍ବାସରେ

ଅବିରତ ବହୁଥାଇ।

ତା ବକ୍ଷ ନିସୃତ ସରିତାର ଝର

ସୁଧା ଧାର ମୋର ପାଇଁ।

ଶିରା ପ୍ରଶିରାରେ ରକତ ହୋଇଛି

ଶକ୍ତି ହୋଇ ବହୁଅଛି।

ଶସ୍ୟ ଫଳମୂଳ ଯେତେକ ଦରବ

ତାହାରି ମାଟି ଦେଉଛି।

ତା ରଙ୍ଗିନ ଫୁଲ ତା ସବୁଜ ଲତା

ଶିଖାଇଲା ମତେ କଥା।

ଉଷା ଅରୁଣିମା ସୂର୍ଯ୍ୟାସ୍ତ ଲାଲିମା

ଦେଖି ଲେଖିଲି କବିତା।

ତାର ଚାଟଶାଳୀ ଛୁଇଁଥିଲି ଖଡି

ସିଏ ଜ୍ଞାନର ଦୁଆର।

ଗୁରୁଙ୍କର ମାଡ ଗାଳି ଆଦରରେ

ଶିଖିଲି ପାଠ ଅକ୍ଷର।

ତା ଫଗୁଣ ବର୍ଷା ଶୀତ ଓ କାକର

ଗ୍ରୀଷ୍ମର ତାତିଲା ଖରା।

କଷିଆମ୍ବ ଲୁଣ ମରିଚ ଖାଇକି

ପୁଣି ତା ନଈ ପହଁରା। 

ତାର ଆମ୍ରବଣ କୋକିଳର ତାନ

କକୁଳୁକୁଳୁ ନଈ ସ୍ବର।

ଗୋଠ ବାହୁଡାର ବଇଁଶୀ ସୁର ଓ

ହମ୍ବାରଡି ଗାଈଙ୍କର।

ଫସଲ କଟାର ମଧୁର ସଙ୍ଗୀତ

ହଳିଆଙ୍କ ନାନା ଗୀତ।

ଝିଅ ଯାଉଥିଲା ଶାଶୁଘର ଯେବେ

ଶୁଭଇ କାନ୍ଦଣା ଗୀତ।

ସେଇ ଛୋଟଗାଆଁ ମୋର ଅତିପ୍ରିୟ

ଭୁଲିବିନି ଜୀବନରେ।

ନିକାଞ୍ଚନେ ଯେବେ ଆଖି ମୁଦି ଦିଏ

ଆସେ ସିଏ ସପନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children