ସେଇ ଅଭୂଲା ମୁହୁର୍ତ୍ତଟି
ସେଇ ଅଭୂଲା ମୁହୁର୍ତ୍ତଟି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଏମିତି ତ ଅନେକ ସ୍ମୃତି ଭିଜା ମୁହୂର୍ତ୍ତ
ସାଇତା ହୋଇରହିଛି ଛାତି ଭିତରେ
କିଛି ଆମ ପ୍ରେମ ପ୍ରଣୟର ,
କିଛିରାଗରୁଷା, ମାନ ଅଭିମାନର,
କିଛି ଆମ ଜୀବନ ସଂଗ୍ରାମର,
ଆଉ କିଛି ଅନାବନା ସୁଖର, ଦୁଃଖର,
ହେଲେ ସବୁଠୁ ମଧୁର ମୁହୂର୍ତ୍ତ କିଏ ଜାଣ?
ସେଇ ପ୍ରଥମ ଉନ୍ମେଷ, ଯେବେ ଆମେ ପ୍ରଥମ କରି ଜାଣିଲେ,
ଜଣେ ନୂଆ କିଏ ଆସୁଛି ଆମ ଜୀବନରେ,
ଭରିଦେବାକୁ ଅସରନ୍ତି ସୁଖର ଉଚ୍ଛ୍ଵାସ,
ଅସୀତ ବର୍ଣ୍ଣର ଆମ ଧୂଆଁଳିଆ ଆକାଶରେ
ମେଞ୍ଚାଏ ଶୁଭ୍ର ,ଅତି ଶୁଭ୍ର ଆଲୋକ ନେଇ ,
ଚତୁର୍ଦ୍ଦିଗରେ ଭରିଦେବାକୁ ଆଲୋକର ଆଭା,
ଆଉ ଆମେ ଥିଲୁ ସଂପୂର୍ଣ୍ଣ ନିସ୍ୱ, କପର୍ଦ୍ଦକ ଶୂନ୍ୟ
ତା’କୁ ଗୋଟାଏ ଛୋଟ ଅମୂଲ୍ର ଡବା
କି ଗୋଟାଏ ଛୋଟିଆ ଝୁଲାଦୋଳି ଟିଏ କିଣିବା ଲାଗି,
ତା’ର ସ୍ୱାଗତିକା ଗାଇବା ଲାଗି
ଆମ ପାଖରେ ଆଖିଲୁହ ବ୍ୟତୀତ ଆଉ କିଛି ବି ନଥିଲା,
କେଉଁ ଏକ ଦିବ୍ୟ ପୁରୁଷ ଅନ୍ତରରୁ ଆଶ୍ୱାସନା ଦେଲେ,
“ ବ୍ୟସ୍ତ ହୁଅ ନାହିଁ, ତୁମର ଭାଗ୍ୟଲକ୍ଷ୍ମୀ ଆସୁଛନ୍ତି, ବିଜୟଲକ୍ଷ୍ମୀ ହୋଇ” ।।
ଅଜାଣତରେ ଆଖିରୁ ଝରିପଡିଥିଲା ଅନେକ ଅଶ୍ରୁ ବିନ୍ଦୁ
ମୋ ପେଟରେ ହାତରଖି ତମେ କହିଥିଲ,
ଆମ ଦୁଃଖର ଦିନ ସରିଗଲା, ସୁଖ ଆସୁଛି ।।
ସେଇ ଅନାଗତର ସ୍ପର୍ଶରେ ମୁଁ ନିଇତି ପୁନର୍ଜନ୍ମ ନେଉଥିଲି
ସବୁ ଦୁଃଖ ଭିତରେ ସୁଖ ସାଉଣ୍ଟୁଥିଲି
ଗଣି ଚାଲିଥିଲି ମୁହୂର୍ତ୍ତ ପରେ ମୁହୂର୍ତ୍ତ,
କେବେ ସିଏ ପୃଥିବୀ କୁ ସ୍ପର୍ଶ କରିବ
ଆଉ ଆମ ଜୀବନ କୁ ଆଲୋକିତ କରିବ।।
ମନେ ଅଛି ନା’ ,ତା’ର ପହିଲି ପଦାଘାତରେ
ମୁଁ “ଓଃ “କହି କଡ ଲେଉଟାଇଲା ବେଳେ
ତୁମେ ମୋ’ ପେଟକୁ ଆଉଁସି କହୁଥିଲରୁହ!
ମୁଁ ବି ଟିକିଏ ଅନୁଭବି ନିଏ ତା’ର ସ୍ପର୍ଶ ।।
ଆଃ କି ଅମୃତମୟ ଥିଲା ସେ ମୁହୁର୍ତ୍ତ !
ଯେତେବେଳେ ଅସହ୍ୟ ଯନ୍ତ୍ରଣା ପରେ
ଭୂମି ସ୍ପର୍ଶ କରିଥିଲା ସିଏ,
ଆଉ ତା’ଠାରୁ ଅମୃତମୟ ଥିଲା ସେ ମୁହୁର୍ତ୍ତ,
ଯେବେ ତା’କୁ ପ୍ରଥମେ ସ୍ପର୍ଶ କରି ମୁଁ କୋଳରେ ଧରିଲି,
ସାରା ଶରୀର ଏକ ଅପୂର୍ବ ଉନ୍ମାଦନାରେ ଥରୁଥିଲା,
ଯନ୍ତ୍ରଣା ସବୁ ଫୁର୍ର କିନା କୁଆଡେ ଫେରାର ହୋଇଗଲେ,
ମୁଁ ହୋଇଗଲି ଆନନ୍ଦମୟୀ ଅମୃତସ୍ରାବୀ !