ସବୁ କଳା ତାଙ୍କୁ ଜଣା
ସବୁ କଳା ତାଙ୍କୁ ଜଣା
ଏଥରକ ତାଙ୍କ ଦେଖା ପାଇଲେ ମୁଁ
କହିବିନି କିଛି କଥା ,
ତୁନି ହୋଇ ସଖି-ରହିବି ଭାବିଛି
ତଳକୁ ପୋତିକି ମଥା ।
ଏଡ଼ିକି ସେ ଲମ୍ପଟିଆ.....
ଦେଖିଛି,ସେଦିନ ଚନ୍ଦ୍ରାବଳୀ କୁଞ୍ଜେ
ଯାଇ-ହୋଇଥିଲେ ଠିଆ ।
ତୁମେ ମୋର ପ୍ରାଣ,ତୁମେ ମୋ ସମ୍ମାନ
କହି ଭଣ୍ଡୁଛନ୍ତି ମିଛେ ,
ମୋ ଅଗୋଚରରେ ଘୂରି ବୁଲୁଛନ୍ତି
ଆନ ଗୋପିଙ୍କର ପଛେ ।
ମୁଁ ସିନା ସରଳ ବୋଲି.....
ମନ,ପ୍ରାଣ ତାଙ୍କୁ ଅରପି ଦେଇଛି
ଚଟୋଳ କଥାରେ ଭୁଲି ।
ତାଙ୍କ ମନେ ଯଦି ଏତେକଥା ଥିଲା
ଦେଉଥିଲେ କିଆଁ ଆଶା ,
ଦେଖାହେଲେ ତାଙ୍କୁ କି ଉତ୍ତର ଦେବି
ଖୋଜି ପାଉନାହିଁ ଭାଷା ।
ନୁହଁନ୍ତି ସେ ବୁଦ୍ଧିହୀନ.....
ଆନ କାର୍ଯ୍ୟ ଲାଗି ଯାଇଥିଲେ କହି
ଭୁଲାଇ ଦେବେ ମୋ ମନ ।
ଯେଉଁଦିନ ଠାରୁ ମନ ଦେଇଅଛି
ତାଙ୍କୁ ମୁଁ ନିଜର ଭାବି ,
ମାନ,ଅଭିମାନ ଯାହା କରିଲେ ବି
କହନ୍ତିନି କିଛି ରାଗି ।
ସବୁ କଳା ତାଙ୍କୁ ଜଣା.....
ମାନ କଲେ ସଖି ,କହ କି ପାଇବି
ଦୁଃଖ ତ ନୋହିବ ଊଣା !
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।