ସାଥି
ସାଥି
ନିର୍ଜନର ଏହି ନୀରବ ନିଶୀଥରେ ସାଥି ତୁମରି ସ୍ମୃତିରେ
ନିରବଧି ନିରେଖୁଛି ତୁମକୁ ଅନିଶ୍ଚିତତାର ପରିଧି ଭିତରେ
ନିଶାନ୍ତ ନିଶ୍ଚିତ ତୁମରି ଅନାବିଳ ପ୍ରେମର ପ୍ରତିଟି ମୁହୂର୍ତ୍ତ
ନିର୍ବିକଳ୍ପ ତୁମ ଭଲ ପାଇବାର ସେ ଅନନ୍ୟ ପ୍ରୀତି ସ୍ରୋତ
ନିଦାଘ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ମଳିନ ହୁଏ ଯେବେ
ନୟନ ମୁଦ୍ରିତ ଅବଗୁଣ୍ଠନ ମୁଦ୍ରିକାର ପାଶେ ଥାଅ ତୁମେ
ନିର୍ନିମେଷ ଅପଲକ ନୟନ ଯୁଗଳ ନୀରବେ କଥା କୁହେ
ନିର୍ଜନତା ଅପସରି ଯିବାପରେ ସମୟ ଆମକୁ ନିହାରୁଥାଏ
ନିହାରିକା କେଉଁ ନିହାଣ ମୁନରେ ନିଖାରିଛି ବିହି ତୁମକୁ
ନୀରବତାର ସହକାର ତଳେ ତୁମ ବିନା ସ୍ପନ୍ଦନହୀନ ବୁକୁ
ନୀରବ ଉପତ୍ୟକାର ତୁମେ କୁଳୁ କୁଳୁ ନିନାଦିତ ନିର୍ଝରିଣୀ
ନୀରସ ମନରେ ସରସତା ଭରିଦିଅ ସତେ ଅମୃତ ତରଣୀ
ନିମିଷକ ଯେବେ ଭାବନାରେ ଭାସି ଆସ ଭାବ ସାଗରରେ
ନିଶ୍ଚୟ ତୁମେ ଧୃବ ତାରା ପରି ଅଛ ମୋ ଭାଗ୍ୟ ଆକାଶରେ
ନିଷ୍ଫଳ ନୁହଁଇ ହେଉ ପଛେ ଭଷା ବାଦଲର ବରଷା ଟୋପା
ନିକଟରେ ଥିବ ସଦା ମୋ ଦେହେ ଲାଗୁ ପ୍ରୀତି ବାରିର ଭିଜା
ନିର୍ଜନ ସମୟର ସାଥି ତୁମେ ଅନୁରାଗ ଭରା ନୀରବତା
ନିତି ଦେଖୁଥାଏ ତୁମ ମଧୁମୟ ଛବି ମନେ ଭରି ମାଦକତା
ନିକାଞ୍ଚନେ ଆମେ ଭାଙ୍ଗିବାନି କେବେ ବିଶ୍ୱାସର ଏହି ବନ୍ଧନ
ନିର୍ବାସିତ ହେଉ ପଛେ ମୋହ ମାୟା ବନ୍ଧୁତ୍ୱ ରହୁ ଚିରନ୍ତନ।।
(ପ୍ରତ୍ୟେକ ଆଦ୍ୟ ଅକ୍ଷର "ନ" ରୁ ଆରମ୍ଭ)

