ସାମର୍ଥ୍ୟ
ସାମର୍ଥ୍ୟ
ଆଶା ଖାଲି ଦୁଃଖ ଦିଏ
ଭାଗ୍ୟ ଦିଏ ଧୋକା
ଏ ଦୁହିଁଙ୍କୁ ଆଶ୍ରା କଲେ
ଜୀବନଟା ବୋକା ll
ମିଛକୁ ପାଥେୟ କରି
ତିଷ୍ଠିବାଟା କଷ୍ଟ
ସତ କେବେ ଲୁଚେ ନାହିଁ
ହୁଏ ଦିନେ ସ୍ପଷ୍ଟ ll
ଆକାଶ କଇଁଆ ଆଉ
ଚିଲିକାର ମାଛ
ସତ ଲାଗେ ବେଳେ ବେଳେ
ଲାଗେ ପୁଣି ମିଛ ll
ଆଖି ଦୁଇ ବେଳେ ବେଳେ
ହୁଅଇ ଜଳକା
ଅସୁରୁଣୀ ଗପ ଆଣେ
ଭୟର ଆଶଙ୍କା ll
ସତ ଏଠି ବର୍ତ୍ତମାନ
ସତ ବି ଅତୀତ
ଆଗାମୀର କଥା ସବୁ
ଲାଗେ ଅନିଶ୍ଚିତ ll
ନିଜର ସାମର୍ଥ୍ୟ ଆଉ
ନିଜ କୃତ କର୍ମ
ତାହା ହିଁ ତ ଜୀବନର
ଅଟେ ସାର ମର୍ମ ll
ସ୍ୱର୍ଗକୁ ନିଶୁଣୀ ଆଉ
ଚନ୍ଦ୍ରମାଙ୍କୁ ହାତ
ହେଇଛି ନା ହେବ କେବେ
ଏ କଥାଟି ସତ? ll
ତଥାପି ତ ଭ୍ରମ ହୁଏ
ସୁନେଲି ସ୍ବପ୍ନର
ସମୁଦ୍ରର ଅନ୍ତ ଆଉ
ମଙ୍ଗଳ ଗ୍ରହର ll
ଚଞ୍ଚକତା ବେଳେ ବେଳେ
ଲାଗେ ଶ୍ରେୟ ଭଳି
ବାସ୍ତବତା ଯେବେ ଏଠି
ପଡ଼ିଯାଏ ବଳି ll
ପାଇବାର ଆଶା ଆଣେ
ନିରାଶାର ଭାବ
ନମିଳିଲେ ହୁଏ ଖାଲି
ଦୁଃଖ ଅନୁଭବ ll
ଆତ୍ମବିଶ୍ୱାସ, ସାମର୍ଥ୍ୟ
ଧୈର୍ଯ୍ୟର ପରୀକ୍ଷା
ଆଣେ ନିଶ୍ଚେ ସଫଳତା
ଜୀବନେ ସୁରକ୍ଷା ll