ଚେତନା ଚୌପଦୀ
ଚେତନା ଚୌପଦୀ
ଚାରିଆଡେ ଏବେ ବହଳେ ଅନ୍ଧାର
ମନରେ ଘୋଡେଇ କୁହୁଡି ଚାଦର
ଶୋଇଯାଏ ଏଠି ରାଜା ଓ ସୈନିକ
ଶୋଷଣ କରୁଛି ଲୋଭୀ ଓ କାମକୁ ।।
କଳି ମାତିଛି ଦେଖ ଘାସରୁ ଦ୍ରୁମ
ନିୟମ କାନୁନ ମାୟାଜାଲ ଭ୍ରମ
ସବୁ ଜାଣି ଅଜଣା ରହିବା ଭଲ
ଆବାଜ କରିଲେ ଜାଣିଥାଅ ମଲ ।।
ଦେବତା ନୀରବ ଦାନବ ଦେବତା
ମିଟିମିଟି ଚାହେଁ ନିରୀହ ଜନତା
ସୂରୁଯ ଲୁଚିଛନ୍ତି ବାଦଲ ତଳେ
ପ୍ରଭୁ ନାମ ନେଲେ ପ୍ରହାର ମିଳେ ।।
ଅଶାନ୍ତ ସାଗରେ ମେଲାଇ ଜାହାଜ
ସାଧୁ ଉପାୟରେ ନହୁଏ ବଣିଜ
ବିକ୍ରି ହୁଏ ଏଠି ଦେହ ଆଉ ମନ
ଦେଖିବାକୁ ମନା ଆପଣା ସ୍ଵପନ ।।
ଏମିତି ସଂସାରେ ଜିବୀତ ବି ମୃତ
ଜନମ ମିଛ ଓ ମୃତ୍ୟୁ ଏକା ସତ
ତଥାପି ବଞ୍ଚିବାର ଲାଳସା ନେଇ
ବୁଡନ୍ତି ଉଠନ୍ତି ଜଳଧିରେ ଡେଇଁ ।।
ଅନେକ କାମନାରେ ଶୂନ୍ୟ ଚେତନା
ଧର୍ଷିତା ହୁଅଇ ପ୍ରତ୍ୟହ ଭାବନା
ଜନ୍ମିବେକି କେବେ କୃଷ୍ଣ ଅବା ରାମ
ଲାଗିବକି କ୍ଷଣେ ଅନ୍ୟାୟେ ବିରାମ ।।