ନିବେଦନ
ନିବେଦନ
ଦେଇନାହଁ ବୋଲି କହିବି ନାହିଁ ମୁଁ
ଯେତିକି ଦେଇଛ ଯଥେଷ୍ଟ ନୁହେଁ
ତୁମରି ଉପରେ ଭରସା ରଖିଛି
ତୁମକୁ ପାଇବା ମନ ମୋ ଚାହେଁ
ଆହେ ମହାବାହୁ
କରୁଣା ରହୁ
ଜପି ଜପି ତୋ ନାମ ଜୀବନ ଯାଉ ।
ମଣିଷ ଜନମ ଦେଇଅଛ ପ୍ରଭୁ
ଦୁଃଖ ସୁଖ ଖଞ୍ଜି ଦେଇଛ
ସୁଖୀ ହେଲେ କାଳେ ଭୁଲିବି ତୁମକୁ
ଜୀବନ କଳସ ଦୁଃଖେ ଭରିଛ
ହେ କଳାଠାକୁର
ହୁଏ ଅଧୀର
କରୁଣା କର ହେ କରୁଣାକର ।
ପତିତପାବନ ପତାକା ଉଡାଇ
ଚକା ଚକା ଆଖିରେ ରହିଛ ଚାହିଁ
ମୁଁ ଜଣେ ପତିତ ଶୁଣ ମୋ ଆରତ
ମୋ ଆଡକୁ ଟିକେ ଚାହୁଁନ କାହିଁ
ହେ କମଳାକାନ୍ତ
ଉଦ୍ଧାର କର
ବିଚଳିତ ମନ କର ହେ ଶାନ୍ତ ।
ଭାବରେ ବାନ୍ଧିବି ଭାବୁଛି ଯେତେ
ଭବନ ଜଞ୍ଜାଳ ବଢୁଛି ସେତେ
ମାଗୁ ନାହିଁ ହାତୀ ଘୋଡ଼ା ଛତି
ମାଗୁଛି ଖୁସି ଭର ପଣତେ
ହେ ଭାବବିନୋଦିଆ
କରନି ଡେରି
ଦୁଃଖ ସାଗରେ ଥରୁଛି ହିଆ ।
ଜାଣୁଛି ମୁଁ ନୁହେଁ ଏକା ତୋହର
ସମ୍ଭାଳିଛୁ ଏ ଭବ ପାରାବାର
ମୀନ ଟିଏ ମୁଁ କରୁଛି ମିନତି
ସୁଖ ସମୃଦ୍ଧି ଆସୁ ମୋ ଘର
ନୀଳକନ୍ଦର ବାସୀ
ମୋ ମନ ଶଶୀ
ପୂର୍ଣ୍ଣ କର ମୋର ଆଶା ସରସୀ ।