ନିଜକୁ ପଚାରେ
ନିଜକୁ ପଚାରେ
ବାସ୍ତବ ତୁମେ ଦୁଃଖ ଦେବ ଯଦି
ମୁଁ ସ୍ଵପ୍ନରେ ବଞ୍ଚିବି
ସ୍ଵପ୍ନରେ ଆସି ଯଦି କନ୍ଦେଇବ
ଜୀବନ ହାରିବି
ହେଲେ ଜୀବନ ତ ମାଟିରେ ମିଶିବ
ତେଣୁ ସୁଖଦୁଃଖ ସାଉଁଟି
ଆଉ କିଛି କାଳ ଜୀଇଁଯିବି ।
ସତ୍ୟ ତୁମେ ଦୁଃଖ ଦେଉଛ ଜାଣି ବି
ମୁଁ ମିଛ କହି ପାରୁନି
ମିଛ ତଥାପି ତୁମେ ପିଛା ଛାଡୁନ
ଅନ୍ତର ଜ୍ଵାଳା ଲିଭୁନି
ଜଳିବା ଯଦି ଜୀବନର ନିର୍ଯ୍ୟାସ
ମିଛରେ ହେଉ ପଛେ ହସିବି
ଶେଷ କଥା ଭାବିବିନି ।
ଲୁହ ତୁମେ ନୟନକୁ ଯଦି ଭିଜେଇବ
ସୁଖରେ ହେଉ କି ଦୁଃଖରେ
ସୁଖ ତ ପରଦେଶୀ ଦୁଃଖ ଆପଣାର
ଏ ଦେହ ମନ୍ଦିରେ
ଦୁରେଇ ଆପଣାକୁ ରଙ୍ଗହୀନ ହେବି
ନା ଶାନ୍ତିରେ ନିଶ୍ଵାସ ମାରିବି
ସାରା ଜୀବନ ରହିଛି ରହିବି ଦ୍ଵନ୍ଦରେ ।